କରୋନା ଯୋଦ୍ଧା ଯୁବ ଡାକ୍ତର ଆଖି ବୁଜିଲେ

0

ଅନୁଗୁଳ: କରୋନା ରୋଗୀଙ୍କ ସେବା କରୁ କରୁ ନିଜେ ସ˚କ୍ରମିତ ହେଲେ। କରୋନାକୁ ପରାଜିତ କରିଥିଲେ ବି ଦୁଇ ମାସ ଧରି ଜୀବନ ସ˚ଘର୍ଷରେ ହାରିଗଲେ ଯୁବ ଡାକ୍ତର ବିଶ୍ବନାଥ ରାଉତ(୪୦)। ତାଳଚେର ଘଣ୍ଟପଡ଼ା ପଞ୍ଚାୟତ ଚାଳଗଡ଼ ଗ୍ରାମର ଏହି ଯୁବ ଡାକ୍ତର ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଥିବା ବେଳେ ଗତ ଅଗଷ୍ଟ ମାସରେ କରୋନା ସ˚କ୍ରମିତ ହୋଇଥିଲେ। କରୋନାରୁ ସୁସ୍ଥ ହୋଇ ପରେ ଫୁସ୍‌ଫୁସ୍‌ ସ˚କ୍ରମଣ ହୋଇଥିବା ଜଣାପଡ଼ିଥିଲା। ଏୟାର‌୍‌ ଆମ୍ବୁଲାନ୍ସରେ ତାଙ୍କୁ ହାଇଦ୍ରାବାଦ୍‌ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମାସାଧିକ କାଳ ଚିକିତ୍ସିତ ହେବା ପରେ ଶୁକ୍ରବାର ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ବୌଦ୍ଧ ଜିଲ୍ଲାପାଳ, ସିଡିଏମ୍‌ଓଙ୍କ ସମେତ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ, ତାଳଚେର ଉପଜିଲ୍ଲାପାଳ ଏବ˚ ପୁଲିସ୍‌ ପକ୍ଷରୁ ଏହି କରୋନା ଯୋଦ୍ଧାଙ୍କୁ ଶେଷ ସମ୍ମାନ ଜଣାଯାଇଥିଲା। ଯୁବ ଡାକ୍ତର ସ୍ବର୍ଗତ ରାଉତ ବିଶିଷ୍ଟ ବ୍ୟବସାୟୀ କୁଲାଡର ଶ୍ବେତବ୍ରତ ସ୍ବାଇଁଙ୍କ ଜ୍ବାଇଁ ଅଟନ୍ତି। ତାଙ୍କର ମା’, ପତ୍ନୀ ଓ ୬ ବର୍ଷର ପୁଅ ଅଛନ୍ତି। ଶନିବାର ଦ୍ବିପ୍ରହର ବେଳେ ତାଙ୍କର ମରଶରୀର ଗ୍ରାମରେ ପହଞ୍ଚିବା ପରେ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା। ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକ ଖେଳିଯାଇଛି।

Leave A Reply

Your email address will not be published.

error: Content is protected !!