୧୦୫ ଗାଈଗୋରୁ ଉଦ୍ଧାର, ୧୨ ଭ୍ୟାନ୍ ଜବତ, ୩୧ ଚାଲାଣକାରୀ ଗିରଫ

0

ଅନୁଗୁଳ: ଚୋରା ଗୋ-ଚାଲାଣକାରୀଙ୍କୁ ଧରିବାରେ ଅନୁଗୁଳ ପୁଲିସକୁ ବଡ଼ ସଫଳତା ମିଳିଛି । ଅନୁଗୁଳ ପୁଲିସର ସ୍ବତନ୍ତ୍ର ସ୍କ୍ୱାଡ୍ ଓ ବଅଁରପାଳ ପୁଲିସ୍ ଚଢ଼ଉ କରି ବୁଧବାର ବିଳମ୍ୱିତ ରାତିରେ ବଅଁରପାଳ ଥାନା ତଳମୂଳ ଦୁର୍ଗାମନ୍ଦିର ସମ୍ମୁଖ ରାସ୍ତା ପାର୍ଶ୍ଵରୁ ଗୋରୁ ବୋଝେଇ ୧୨ଟି ପିକଅପ୍ ଭ୍ୟାନ୍ ଜବତ କରିବାରେ ସଫଳ ହୋଇଥିଲା । ଏକ କାରରେ ଦୁର୍ବୃତ୍ତମାନେ ଏସକର୍ଟ କରି ଗୋରୁ ଚାଲାଣ କରୁଥିଲେ । ପୁଲିସ ଓ ଚାଲାଣକାରୀଙ୍କ ମଧ୍ୟରେ ଛକାପଞ୍ଝା ମଧ୍ୟରେ ଚାଲାଣକାରୀଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୁଲିସ । ୧୦୫ଟି ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏର ମୃତ୍ୟୁ ହୋଇଥିବା ଜଣାଯାଇଛି। ଗୋରୁ ଚାଲାଣରେ ସଂପୃକ୍ତ ୩୧ ଜଣଙ୍କୁ କାବୁ କରାଯାଇଥିବା ବେଳେ ୧୨ଟି ଭ୍ୟାନ୍, ଏକ ସୁଇଫ୍ଟ କାର୍ ଜବତ କରାଯାଇଛି। ଚାଲାଣକାରୀଙ୍କଠାରୁ ୨୧ଟି ମୋବାଇଲ୍ ଫୋନ ଓ ୮୭ ହଜାର ୫୩୦ ଟଙ୍କା ଜବତ ହୋଇଛି । ସୂଚନା ମୁତାବକ ଏହି ଗାଡ଼ିଗୁଡ଼ିକ ପ୍ରତ୍ୟେକ ସପ୍ତାହରେ ନରସିଂହପୁର ଅଞ୍ଚଳରୁ ବିଳମ୍ବିତ ରାତିରେ ଗୋ-ଚାଲାଣ କରୁଥିବା ଜଣାପଡ଼ିଛି । ନରସିଂହପୁର, ଆଠଗଡ଼ ଓ ହିନ୍ଦୋଳ ଇଲାକାରୁ ଗୋରୁଗୁଡ଼ିକୁ କେନ୍ଦୁଝର ଛାମୁଣ୍ଡା ହାଟକୁ ଚାଲାଣ ହେଉଥିଲା । ମହୀଧରପୁର ତଳମୂଳ-ବଅଁରପାଳ ଦେଇ ପର୍ଜଙ୍ଗ ରାସ୍ତାରେ ବାହାରି ଗୋରୁ ବୋଝେଇ ପିକ୍ ଭ୍ୟାନଗୁଡ଼ିକ କେନ୍ଦୁଝର ଅଭିମୁଖେ ଯାଇଥାନ୍ତି । ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଗତ ରାତିରେ ପୁଲିସ ଟିମ୍‌ ଚଢ଼ଉ କରିଥିଲା । ନିୟମିତ ବ୍ୟବଧାନରେ ପୁଲିସର ନାକ ତଳେ ଗୋ-ଚାଲାଣ ହେଉଥିଲେ ମଧ୍ୟ ସ୍ଥାନୀୟ ପୁଲିସ ଜାଣିନପାରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ପୁଲିସ ଘଟଣାର ଅଧିକ ଅନୁସନ୍ଧାନ ଚଳାଇଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି।

 

Leave A Reply

Your email address will not be published.

error: Content is protected !!