ଚାକିରି ଦେବା ନାଁରେ ଠକେଇ

ଦମ୍ପତିଙ୍କ ସହ ୩ ଗିରଫ

0

ଅନୁଗୁଳ: ଚାକିରି ଦେବା ନାଁ’ରେ ଠକେଇ ଅଭିଯୋଗରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଶୁକ୍ରବାର ସଂପୃକ୍ତ ଅଭିଯୁକ୍ତଙ୍କୁ ଅନୁଗୁଳ ପୁଲିସ କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଅନୁଗୁଳ ରାଜକିଶୋରିପଡ଼ା ରଂଜନ କୁମାର ତ୍ରିପାଠୀ ଓ ତାଙ୍କ ସ୍ତ୍ରୀ ମିତାଲି ତ୍ରିପାଠୀ ଏବଂ ମଙ୍ଗଳା ମନ୍ଦିର ନିକଟରେ ରହୁଥିବା ରଂଜନ କୁମାର ସାହୁ। ଶ୍ରୀ ସାହୁଙ୍କ ପ୍ରକୃତ ଘର ରେଙ୍ଗାଳି ଥାନା ଇଲାକାରେ ବୋଲି ପୁଲିସ ସୂଚନା ଦେଇଛି।
ପୁଲିସ୍ ସୂଚନା ମୁତାବକ, ଗତବର୍ଷ ଡିସେମ୍ବର ୫ ତାରିଖ ଦିନ ଏକ ଦୈନିକ ଖବରକାଗଜରେ ନିଯୁକ୍ତି ବିଜ୍ଞାପନ ବାହାରିଥିଲା । ଓଡ଼ିଶାର ବିଭିନ୍ନ ଶିଳ୍ପାଞ୍ଚଳ ଯଥା- ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ ଓ କଟକ ପାଇଁ ଷ୍ଟିଲ୍ ଆଣ୍ଡ ପାୱାର ପ୍ଲାଣ୍ଟରେ ପ୍ରାର୍ଥୀ ଆବଶ୍ୟକ ବୋଲି ବିଜ୍ଞାପନ ଦିଆଯାଇଥିଲା । ବିଜ୍ଞାପନ ପଢ଼ି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପିଏଚ୍ଡି କଲୋନୀରେ ରହୁଥିବା ପି.ଧର୍ମାରାଓ ନିଜ ପୁଅ ପାଇଁ ଚାକିରି ଆବେଦନ କରିଥିଲେ । ଆବେଦନ ଫର୍ମକୁ ବିଜ୍ଞାପନରେ ଦିଆଯାଇଥିବା ଇମେଲକୁ ପଠାଇଥିଲେ । ଏହାର କିଛି ସମୟ ପରେ ଏକ ମୋବାଇଲ ନମ୍ବରରୁ ତାଙ୍କ ପାଖକୁ ଫୋନ୍ ଆସିଥିଲା। ପଞ୍ଜିକରଣ ଦେୟ ପାଇଁ ୫୨ ହଜାର ଟଙ୍କା ଦେବାକୁ ହେବ ବୋଲି କୁହାଯାଇଥିଲା । ପୁଅ ପାଇଁ ଚାକିରି ବ୍ୟାକୁଳିତ ଥିବା ପି.ଧର୍ମାରାଓ ଫୋନ୍ ପେ’ ଜରିଆରେ ୫୨ ହଜାର ଟଙ୍କା ପଠାଇଥିଲେ ଟଙ୍କା ପଠାଇବା ପରେ ନିଯୁକ୍ତିପତ୍ର ମାଗିବାରୁ ଠକ ଫୋନ୍ କାଟି ଦେଇଥିଲେ । ଠକେଇର ଶିକାର ହୋଇଥିବା ଜାଣିବା ପରେ ଅନୁସନ୍ଧନ କରି ଠକ ଅନୁଗୁଳ ଜିଲ୍ଲାରୁ ବୋଲି ଜାଣିବାକୁ ପାଇଥିଲେ। ପରେ ପି. ଧର୍ମା ରାଓ ଏନେଇ ଅନୁଗୁଳ ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଥିଲେ । ଏସ୍‌ପିଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ଅନୁଗୁଳ ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲା। ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀ ନିଜେ ମାମଲାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ।

Leave A Reply

Your email address will not be published.