ଅନୁଗୁଳ (Jugal Kishore Sahoo) : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ପବିତ୍ରମୋହନ ଉଚ୍ଚ ବିଦ୍ୟାଳୟରେ ପ୍ରାୟ ୧ କୋଟି ଟଙ୍କାରେ ଚାଲିଥିବା ଶ୍ରେଣୀଗୃହର ଛାତ ମଙ୍ଗଳବାର ପଡୁଥିବାବେଳେ ଦବି ଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ବ୍ରିଜ ଏଣ୍ଡ ରୁଫ୍ ନାମକ ଏକ ସଂସ୍ଥା ଏହି କାମ କରୁଛି । ସଂସ୍ଥା ପକ୍ଷରୁ ଶ୍ରମିକ, ମିସ୍ତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଅଣଓଡ଼ିଆ ଥିବା ଜଣାପଡ଼ିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଚଟାଣକୁ କଂକ୍ରିଟ କରାନଯାଇ ବାଲି ପକାଯାଇଛି । ଫଳରେ ଆଜି ଛାତ ପଡୁଥିବାବେଳେ ଭାଇବ୍ରେଟର ମାରିବା ସମୟରେ ହଠାତ୍ ଦବି ଯାଇଥିଲା । ଏଥିପାଇଁ କାମକୁ ବନ୍ଦ କରି ଦିଆଯାଇଥିଲା। ତେବେ ଏତେ ଟଙ୍କାରେ କାମ ହେଉଥିବାବେଳେ ଚଟାଣକୁ କଂକ୍ରିଟ୍ କରାନଯାଇ ବାଲି ବିଛାଇ କିଭଳି ଛାତ ପକାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଏହି କାମକୁ ଅନୁଗୁଳରୁ ପିଡି ୨ ଦିନକୁ ଥରେ ଆସି ତଦାରଖ କରୁଥିବାବେଳେ ସ୍ଥାନୀୟ ବ୍ଲକ୍ ପ୍ରଶାସନ ମଧ୍ୟ ତଦାରଖ କରୁଛନ୍ତି । ଯେହେତୁ ୫ଟି ଅଧୀନରେ ଏହି କାମ ହେଉଛି ଖୋଦ ଜିଲ୍ଲାପାଳ ମଧ୍ୟ ଏହା ଉପରେ ନଜର ରଖିଛନ୍ତି। ଉଲ୍ଲେଖ ଯେ, ପବିତ୍ରମୋହନ ଉଚ୍ଚ ବିଦ୍ୟାଳୟ ବ୍ଲକରେ ଏକ ପୁରୁଣା ହାଇସ୍କୁଲ ହୋଇଥିବାରୁ ଏହାର ଉନ୍ନତିକରଣ କରାଯାଉଛି । ଏନେଇ ବିଡ଼ିଓ, ଏବିଡ଼ିଓଙ୍କୁ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । କମ୍ପାନୀର ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ପଚାରିବାରୁ ଭାଇବ୍ରେଟରର ପ୍ରେସର ଯୋଗୁଁ ଏମିତି ହୋଇଛି ବୋଲି କହିଥିଲେ । ପ୍ରଥମ ପର୍ଯ୍ୟାୟରେ ୧କୋଟି ୧୦ ଲକ୍ଷ ଟଙ୍କାର କାମ ଆସିଥିବାବେଳେ ଆଗକୁ ୨ରୁ ଅଢେଇ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟ ଆରମ୍ଭ ସମୟରେ କୁହାଯାଇଥିଲା।