ନିଯୁକ୍ତି ନାରେ ଠକେଇ, ମାଷ୍ଟର ମାଇଣ୍ଡ ୨ ଅନ୍ତଃ ରାଜ୍ୟ ଠକ ସ୍ବାମୀ ଓ ସ୍ତ୍ରୀ ଗିରଫ

0

ଅନୁଗୁଳ : ଅନୁଗୁଳ ପୁଲିସକୁ ମିଳିଛି ବଡ଼ ସଫଳତା। ନିଯୁକ୍ତି ଦେବା ନାରେ ଠକେଇ କରିଥିବା ଅଭିଯୋଗରେ ମାଷ୍ଟର ମାଇଣ୍ଡ ୨ ଅନ୍ତଃ ରାଜ୍ୟ ଠକ ସ୍ବାମୀ ଓ ସ୍ତ୍ରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କଠାରୁ ଟଙ୍କା ଓ ବହୁ ଆପତିଜନକ ସାମଗ୍ରୀ ଜବତ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଟାଟା କମ୍ପାନୀରେ ନିଯୁକ୍ତି ଦେବାକୁ କହି ଶତାଧିକ ବେକାର ଇଞ୍ଜିନିୟର ଛାତ୍ର ମାନଙ୍କଠାରୁ କୋଟି କୋଟି ଟଙ୍କା ଠକେଇ କରିଥିବା ଜଣା ଯାଇଛି। ୨୦୨୧ ଫେବୃଆରୀ ମାସଠାରୁ ଅଗଷ୍ଟ ମାସ ମଧ୍ୟରେ ଅନୁଗୁଳ ଜିଲ୍ଲାର କଲିଏରୀ, ଅନୁଗୁଳ, ନାଲକୋନଗର ଓ ତାଳଚେର ଥାନାରେ ଟାଟା କମ୍ପାନୀରେ ନିଯୁକ୍ତି କରାଇଦେବାକୁ କହି ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତକରି ପୁଲିସ ୯ ଜଣ ଦଲାଲଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ତେଣୁ ଜିଲ୍ଲାର ବିଭିନ୍ନ ଥାନାକୁ ନିଯୁକ୍ତି ଠକେଇ ନେଇ ଅଭିଯୋଗମାନ ଆସିବାକୁ ଲାଗିଲା। ଏହାର ତଦନ୍ତକରି ପୁଲିସ ରାଉରକେଲାର ପ୍ରତାପ କୁମାର ଶତପଥିଙ୍କୁ ଗିରଫ କରିଥିଲା। ପ୍ରତାପଙ୍କ ସୂଚନା ଅନୁସାରେ ଏହି ରାକେଟର ମାଷ୍ଟରମାଇଣ୍ଡ ଦମ୍ପତିଙ୍କୁ ଖୋଜୁଥିଲା ପୁଲିସ। ଏହି ଦମ୍ପତି ଗିରଫ ଭୟରେ ସେମାନଙ୍କ ଜାଗା ଓ ମୋବାଇଲ ନମ୍ବର ବଦଳାଇ ଚାଲିଥିଲେ। ତେଣୁ ଜିଲ୍ଲା ପୁଲିସ ତରଫରୁ କଲିଏରୀ ଓ ଅନୁଗୁଳ ଥାନାର କିଛି ଅଧିକାରୀ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ପଶ୍ଚିମବଙ୍ଗର ଦୁର୍ଗାପୁର ଏହାର ମାଷ୍ଟର ମାଇଣ୍ଡ ଚୖତାଲୀ ମୁଖାର୍ଜୀ ଓରଫ ଦୀପିକା ବାନାର୍ଜୀ ଓ ତାଙ୍କ ସ୍ବାମୀ ମ୍ରାଗଙ୍କ ଗୁପ୍ତା ଓରଫ ଶିଭ କୁମାରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ସେମାନେ ନିଜକୁ ଦୀପିକା ବାନାର୍ଜୀ ଟାଟା ଗ୍ରୁପର ଏଚଆର ଓ ଶିଭ କୁମାର ଟାଟା ଗ୍ରୁପ୍ର ଏଜିଏମ୍ ଭାବେ ପରିଚୟ ଦେଇ ଏହି ଠକେଇ କରୁଥିଲେ। ଝାଡଖଣ୍ଡ ଜାମସେଦପୁର ନେଟୁର ଟେକ୍ନିକାଲ ଟ୍ରେନିଂ ଫାଉଣ୍ଡେସନ(ଏନଟିଏଫ)ରେ ନିଯୁକ୍ତି ଦେବା ନାରେ ବିଭିନ୍ନ ବୋକାର ଇଞ୍ଜିନିୟର ଡିଗ୍ରୀଧାରୀମାନଙ୍କଠାରୁ ଟଙ୍କା ନେଇ ଦଲାଲ ମାନଙ୍କ ମାଧ୍ୟମରେ ଜାଲ ନିଯୁକ୍ତପତ୍ର ଦେଉଥିଲେ। ତଦନ୍ତରୁ ଜଣାଯାଇଛି ଯେ, ଏହି ଦମ୍ପତି ରାଉରକେଲା, ଦୁର୍ଗାପୁର ଓ ଉତରପ୍ରଦେଶରେ ରହି ଭାରତର ବିଭିନ୍ନ ରାଜ୍ୟରୁ ପ୍ରାୟ ୧୩ ଶହ ଜଣଙ୍କୁ ଠକିଛନ୍ତି। ସେଥିମଧ୍ୟରୁ କେବଳ ୫୫୦ ଜଣ ହେଉଛନ୍ତି ଓଡ଼ିଶାର, ୧୦ ଜଣ ଜାମୁ କାଶ୍ମିରର, ୪୦ଜଣ ଝାଡ଼ଖଣ୍ଡର, ୨ ଜଣ ଛତିଶଗଡ଼ର, ୨୫ ଜଣ ବିହାରର ଓ ୨୦ ଜଣ ପଶ୍ଚିମବଙ୍ଗର ଥିବା ତାଙ୍କଠାରୁ ଜବତ ହୋଇଥିବା କାଗଜପତ୍ରରୁ ଜଣାଯାଇଛି। ଏହିସବୁ ଠକେଇ ୨୦୧୭ରୁ ୨୦୨୧ ମଧ୍ୟରେ ହୋଇଛି। ଏଥିସହ ସେମାନେ ମହାରାଷ୍ଟ୍ରରେ ମଧ୍ୟ ଠକେଇ କରିଥିବା ଜଣାଯାଇଛି। ତଦନ୍ତରୁ ଜଣା ଯାଇଛି ଯେ ସେମାନେ ପ୍ରାୟ ୧ କୋଟି ୮୫ ଲକ୍ଷ ଟଙ୍କା ୫୦ ଜଣଙ୍କଠାରୁ ଠକିଥିବା ତାଙ୍କ ତାଲିକାରୁ ଜଣାଯାଇଛି। ଆଉ କେତେ ଠକେଇ କରିଛନ୍ତି ତାହା ଏବେ ତଦନ୍ତ ଚାଲିଛି। ଏଥିସହ ଜଣାଯାଇଛି ଯେ, ଚୖତାଲୀ ମହାରାଷ୍ଟରେ ଅନେକ ଠକେଇରେ ସମ୍ପୃକ୍ତ ଅଛନ୍ତି। ତାହାକୁ ଏବେ ତଦନ୍ତ କରାଯାଉଛି ବୋଲି ପୁଲିସ ପ୍ରକାଶ କରିଛି। ଏହି ଅଭିଯୁକ୍ତଙ୍କଠାରୁ ୭ଟି ମୋବାଇଲ ଫୋନ୍, ୧୮ଟି କ୍ରେଡିଟ କାର୍ଡ, ୩ ଲକ୍ଷ ୯୭ ହଜାର ଟଙ୍କା, ଟାଟା ଷ୍ଟିଲର ଜାଲ ଷ୍ଟାମ୍ପ ଓ ସିଲ, ଲେଟର ହେଡ, ଲଫାପା, ଜାଲ ଆଇକାର୍ଡ ଓ ଗୋଟିଏ କ୍ରେଟା କାର(ଓଡି-୧୪ଆର-୭୭୭୪) ଜବତ କରାଯାଇଛି। ଉଭୟଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.

error: Content is protected !!