ଛେଳିଆପଡ଼ାରେ ଦୋକାନରୁ ଚୋରି

ସିସିଟିଭିରେ ଚୋର ଚେହେରା କଏଦ

0

ଅନୁଗୁଳ: ସହର ଉପକଣ୍ଠ ଛେଳିଆପଡ଼ାର ପୁଲିସ୍ ରିଜର୍ଭ ବାରାକ ନିକଟ ଏକ ଦୋକାନରୁ ବଡ଼ ଧରଣର ଚୋରି ହୋଇଛି । ଜଣେ ଦୁର୍ବୃତ୍ତ ମାଟି ଖୋଳି ଦୋକାନରେ ପଶିବା ପରେ ଦୋକାନରୁ ନଗଦ ଟଙ୍କା ସହ ବହୁ ଜିନିଷପତ୍ର ଲୁଟି ନେଇଛି । ଏନେଇ ଦୋକାନ ମାଲିକ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଛାନ୍‌ଭିନ୍ ଆରମ୍ଭ କରିଛି । ତେବେ ଚୋର ବେଶ୍ ଚତୁରତାର ସହ ଲୁଟପାଟ କରିଥିବା ବେଳେ ଏକ ସିସିଟିଭିରେ ତା’ର ଚେହେରା କଏଦ ହୋଇଥିବା ଜଣାପଡ଼ିଛି।ପୁଲିସ ସୂଚନା ମୁତାବକ, ଛେଳିଆପଡ଼ା ପୁଲିସ୍ ରିଜର୍ଭ ନିକଟରେ ଛେଳିଆପଡ଼ା ଗ୍ରାମର ଅଶ୍ୱିନୀ ନାଥଙ୍କ ଏକ ତେଜରାତି ଦୋକାନ ରହିଛି ।

କେବିନକୁ ସେ ତାର ଜାଲି ଗୁଡ଼ାଇବା ସହ ଥଣ୍ଡାଠୁ ନେଇ ରାସନ ସାମଗ୍ରୀ ପର୍ଯ୍ୟନ୍ତ ବିକ୍ରିବଟା କରନ୍ତି । ଗତ ୧୫ ତାରିଖ ରାତିରେ ଅଶ୍ୱିନୀ ତାଙ୍କ ନିକଟରେ ଥିବା ଏକ ୱେଲିଂ ଦେକାନରେ ଶୋଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଦୋକାନ ପଛ ପଟୁ ମାଟି ଖୋଳି ଦୋକାନରେ ପଶିଥିଲା। ଦୋକାନ କ୍ୟାସବାକ୍ସରୁ ୭୨୦୦ ଟଙ୍କା, ଥଣ୍ଡା ପାନୀୟ, ସିଗାରେଟ୍, ବିସ୍କୁଟ, ରାସନ ସାମଗ୍ରୀ ଧରି ଚମ୍ପଟ ମାରିଥିଲା । ତେବେ ଏହି କାରନାମା ବେଳର ଦୃଶ୍ୟ ପାଖରେ ଥିବା ଏକ ସିସିଟିଭିରେ କଏଦ ହୋଇଥିଲା । ଅଶ୍ୱିନୀ ୧୬ ତାରିଖ ଦିନ ଦୋକାନ ନଖୋଲି ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ । ଅଶ୍ୱିନୀଙ୍କ ମା’ ଆସି ଦୋକାନ ଖୋଲିଲା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ସେ ଏନେଇ ପୁଅକୁ ଜଣାଇବା ପରେ ଅଶ୍ଵିନୀ ଆସି ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେ ଦାଖଲ କରିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ପୁଲିସ୍ ଅନୁସନ୍ଧାନ ଚଳାଇଛି।

Leave A Reply

Your email address will not be published.

error: Content is protected !!