ସ୍ୱତନ୍ତ୍ର

ଆଉ କେତେ ଅବହେଳା ସହିବ ବିଜୁ ମୈଦାନ

* ମୁକୁଳା ପଡ଼ିଛି ବିଦ୍ୟୁତ୍‌ ତାର * ରକ୍ଷଣ‌ାବେକ୍ଷଣ ପ୍ରତି ଉଦାସୀନ

By Angul TV Bureau

October 19, 2020

ଅନୁଗୁଳ: ଏକ ପ୍ରକାର ଛେଉଣ୍ଡ ହୋଇ ପଡ଼ିଛି ବିଜୁ ମୈଦାନ। ଓଡ଼ିଶାର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ, ସହରର ଏକ ଗୁରୁତ୍ବପୂର୍ଣ୍ଣ ଇଲାକାରେ ଥିବା ଏହି ମୈଦାନର ରକ୍ଷଣାବେକ୍ଷଣ ପ୍ରତି କିନ୍ତୁ ସାମାନ୍ୟତମ ଉଦ୍ୟମ ପ୍ରଶାସନିକ ସ୍ତରରେ ନାହିଁ। ତାଳଚେର-ଅନୁଗୁଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ଟାମ୍‌ଡା) ହେପାଜତରେ ରହିଛି ଏହି ପଡ଼ିଆ। ହେଲେ ପଡ଼ିଆରୁ କେବଳ ରୋଜଗାର ଆଶା, ଉନ୍ନତିକରଣ ପାଇଁ କର୍ତ୍ତୃପକ୍ଷଙ୍କ ମନୋବୃତ୍ତି ନାହିଁ। ଚଲାପଥର ସମସ୍ତ ଲାଇଟ୍‌ ଅଚଳ ହୋଇ ପଡ଼ିଛି। ପଡ଼ିଆ ଭିତରେ ଅନାବନା ଗଛ ଉଠିଲାଣି। ବାରମ୍ବାର ଅଭିଯୋଗ ସତ୍ତ୍ବେ ଟାମ୍‌ଡା ଚୁପ୍‌ ରହୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାରୁ ବାଧ୍ୟ ହୋଇ ପ୍ରାତଃ ଓ ସାଂଧ୍ୟ ଭ୍ରମଣକାରୀ, ଖେଳାଳି ମଇଦାନର ସଫେଇ ନିଜ ହାତକୁ ନେଇଛନ୍ତି। ତେବେ ଚଲାପଥ କଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟର ମୁକୁଳା ପଡ଼ିଥିବା ଜୀବନ୍ତ ତାର ନୂଆ ବିପଦ ସୃଷ୍ଟି କରିଛି। ବର୍ଷା ପାଣି ଜମି ରହିବା ସହ ବିଦ୍ୟୁତ୍‌ ତାର ମୁକୁଳା ପଡ଼ିଥିବାରୁ ବିଦ୍ୟୁତ୍‌ ଝଟ୍‌କା ଖାଇ ଜୀବନ ଯିବାର ଭୟ ରହିଛି।

 

ଦିନକୁ ଦିନ ପରିଚୟ ହଜାଉଛି ବିଜୁ ମୈଦାନ। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ମୈଦାନ ଯେଉଁ ନବୀକରଣ ଓ ଚଲାପଥ ତିଆରି ହୋଇଥିଲା, ତାହା ଉଜୁଡ଼ିବାକୁ ବସିଲାଣି। ମଇଦାନର ନାମ ଫଳକ ଭାଙ୍ଗିରୁଜି ଗଲାଣି। ତେବେ ପ୍ରଶାସନ ଏହାକୁ ଆଡ଼ ଆଖିରେ ସୁଦ୍ଧା ଚାହୁଁନଥିବା ବେଳେ ମୈଦାନ ସମ୍ମୁଖ ସର୍କିଟ୍‌ ହାଉସ୍‌କୁ ଆସୁଥିବା ଭିଆଇପିଙ୍କ ନଜରରେ ଏହା ନପଡ଼ିବା ଦୁର୍ଭାଗ୍ୟଜନକ। ଏହାଛଡ଼ା ମୈଦାନ କଡ଼ ରାସ୍ତାରେ ଜିଲ୍ଲାର ପ୍ରମୁଖ ଅଧିକାରୀମାନେ ନିତି ଯାତାୟତ କରୁଥିଲେ ବି କାହାର ଶୁଭଦୃଷ୍ଟି ସେ ଆଡ଼କୁ ଏ ଯାଏଁ ପଡ଼ିଥିବା ପରିଲକ୍ଷିତ ହେଉନାହିଁ। ସେପେଟ ଅନ୍ଧାରର ଫାଇଦା ନେଇ ସନ୍ଧ୍ୟା ହେଲେ ଏଠାରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ମଦ ପିଇ ବୋତଲ ଏଣେତେଣେ ପକାଉଛନ୍ତି।

ବିଜୁ ମୈଦାନର ରକ୍ଷଣ‌ାବେକ୍ଷଣ ଦାୟିତ୍ବ ଟାମ୍‌ଡାର। ମାତ୍ର ଟାମ୍‌ଡା ଦୁର୍ନୀତିର ଗନ୍ତାଘର ପାଲଟିଥିବା ବେଳେ ଘୋର ଅରାଜକତା ମଧ୍ୟରେ ମୈଦାନର ଚିତ୍ର ଦୟନୀୟ ‌ହୋଇପଡ଼ିଛି।