ପ୍ରତିଭା ଓ ବ୍ୟକ୍ତିତ୍ୱ

ଡାକ୍ତର ନବକିଶୋର ସାମନ୍ତଙ୍କ ପରଲୋକ

By Angul TV Bureau

December 07, 2020

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରଥମ ଲଣ୍ତନ ପଢ଼ୁଆ ଡାକ୍ତର ନବକିଶୋର ସାମନ୍ତ ଆଉ ନାହାନ୍ତି। ରବିବାର ସନ୍ଧ୍ୟାରେ ଅନୁଗୁଳ ବିକାଶନଗରସ୍ଥିତ ବାସଭବନରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ତାଙ୍କୁ ୮୧ ବର୍ଷ ହୋଇଥିଲା। ଅନୁଗୁଳ ଜିଲ୍ଲାରେ ସର୍ଜରୀ ବିଭାଗରେ ପ୍ରଥମ ବ୍ୟକ୍ତି ଭାବେ ୧୯୭୦-୭୭ ପ୍ରାୟ ୭ ବର୍ଷ ଲଣ୍ତନରେ ଉଚ୍ଚ ଶିକ୍ଷା ଶେଷ କରିଥିଲେ। ଲଣ୍ତନରୁ ଉଚ୍ଚଶିକ୍ଷା ଗ୍ରହଣ କରି ଫେରିବା ପରେ ଓଡ଼ିଶାର କୋଣ ଅନୁକୋଣରେ ନିଷ୍ଠାର ସହିତ କାର୍ଯ୍ୟ କରିଥିଲେ। ବିଶେଷ କରି ବାରିପଦା, ଭବାନୀପାଟଣା, ଖୋର୍ଦ୍ଧା, ଢେଙ୍କାନାଳ, ପୁରୀ ଆଦି ବିଭିନ୍ନ ଇଲାକାର ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇଥିଲେ। ତାଙ୍କର ଅମାୟିକ ସ୍ବଭାବ, କର୍ତ୍ତବ୍ୟ ନିଷ୍ଠା ଏବ˚ ସର୍ବୋପରି ସେବା ମନୋବୃତ୍ତି ପାଇଁ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିଲେ। ଭୁବନେଶ୍ବର କ୍ୟାପିଟାଲ୍‌ ହସ୍‌ପିଟାଲ୍‌ର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଅବସରଗ୍ରହଣ କରିଥିଲେ। ଅନୁଗୁଳ ନାଗରିକ ମଞ୍ଚର ସେ ପ୍ରତିଷ୍ଠାତା ସଭାପତି ଭାବେ ଦୀର୍ଘବର୍ଷ ଧରି ଦାୟିତ୍ବ ତୁଲାଇଥିଲେ। ବାର୍ଦ୍ଧକ୍ୟ କାରଣରୁ ସେ କିଛି ଦିନ ହେଲା ଶଯ୍ୟାଶାୟୀ ଥିଲେ। ସ୍ବର୍ଗତ ସାମନ୍ତଙ୍କ ମୃତ୍ୟୁଶଯ୍ୟା ନିକଟରେ ବଡ଼ ପୁଅ ତାପସ, ସାନପୁଅ ମାନସ, ପୁତ୍ରବଧୂଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।