ମୁଖ୍ୟ ଖବର

ଶୈଳଶ୍ରୀକ୍ଷେତ୍ରରୁ ଚନ୍ଦନ ଗଛ ଚୋରି ଉଦ୍ୟମ

By Angul TV Bureau

December 04, 2020

ଅନୁଗୁଳ: ବୁଧବାର ରାତିରେ ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରୁ ଚନ୍ଦନ ଗଛ ଚୋରି ଉଦ୍ୟମ ହୋଇଛି। ଦୁବୃର୍ତ୍ତମାନେ ତିନିଟି ଗଛ କାଟି ଦେଉଥିଲେ ହେଁ କାଠ ନେବାରେ ବିଫଳ ହୋଇଛନ୍ତି।ଏ ଘଟଣା ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ମହାପ୍ରଭୁଙ୍କ କାମରେ ଲାଗିବା ଲକ୍ଷ୍ୟରେ ୨୦ ବର୍ଷତଳୁ ଶୈଳଶ୍ରୀକ୍ଷେତ୍ର ପରିସରରେ ଚନ୍ଦନ ଗଛ ଲଗାଯାଇଥିଲା। ପ୍ରାୟ ୧୨ ବର୍ଷ ତଳେ ମନ୍ଦିର ପରିସରରୁ ଚନ୍ଦନ ଗଛ ଚୋରି ଊଦ୍ୟମ ହୋଇଥିଲା। ଦୁବୃର୍ତ୍ତମାନେ ଦୁଇଟି ଗଛ କାଟି ଗଡ଼ କରିଥିଲେ ହେଁ ନେବାରେ ବିଫଳ ହୋଇଥିଲେ। କୌଣସି କାରଣରୁ କାଠ, କଟର‌୍‌ ମେସିନ୍‌ ଛାଡ଼ି ପଳାଇ ଯାଇଥିଲେ।

ସେହିପରି ଗତ ୨ ତାରିଖ ରାତିରେ ଦୁବୃର୍ତ୍ତମାନେ ତିନିଟି ଗଛ କାଟି ଦେଇଛନ୍ତି। କଟର ମେସିନ୍ ଦ୍ବାରା ଗଛ କଟାଯାଇଥିବା ଜଣାପଡ଼ିଛି। ଗଛ କାଟି ସାଇଜ୍‌ କରିଥିଲେ ମଧ୍ୟ କାଠ ନେଇ ପାରିନାହାନ୍ତି। ସକାଳେ ଏ ଘଟଣା ସ˚ପର୍କରେ ଜଣାପଡ଼ି ଥିଲା।ଶୈଳଶ୍ରୀକ୍ଷେତ୍ର ପରିସରରୁ ବାରମ୍ବାର ଚନ୍ଦନ ଗଛ ଚୋରି ଉଦ୍ୟମ ଉଦ୍‌ବେଗ ସୃଷ୍ଟି କରିଛି। ଅନ୍ୟପକ୍ଷରେ କାଠନେବାରେ ଦୁବୃର୍ତ୍ତ ବିଫଳ ହେଉଥିବାରୁ ସେ ଅଞ୍ଚଳରେ କିଛି ଅଲୌକିକ ଶକ୍ତି ରହିଥିବା ମନ୍ଦିର କର୍ମକର୍ତ୍ତା ବିଶ୍ବାସ କରୁଛନ୍ତି।