ସ୍ୱତନ୍ତ୍ର

ହାତୀ-ମଣିଷ ବିବାଦ: ସ˚ପ୍ରସାରିତ ହେବ ହାତୀ ସ˚ରକ୍ଷଣ କ୍ଷେତ୍ର

By Angul TV Bureau

December 07, 2020

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗତ ଏକ ଦଶନ୍ଧି ମଧ୍ୟରେ ହାତୀ-ମଣିଷ ଲଢେ଼ଇରେ ବହୁ ଧନଜୀବନ ନଷ୍ଟ ହୋଇଛି। କେତେବେଳେ ହାତୀ ତ କେତେବେଳେ ମଣିଷ ଗଜରାଜର ଶିକାର ହୋଇ ଅକାଳ ମୃତ୍ୟୁ ମୁଖରେ ପଡୁଛି। ଅଭୟାରଣ୍ୟରେ ହାତୀ ରହଣିସ୍ଥଳର ଅଭାବ, ଖାଦ୍ୟ ସ˚କଟ ହେତୁ ସମ୍ଭବତଃ ହାତୀ ଗାଁ ମୁହାଁ ହେଉଛନ୍ତି ଏବ˚ ଏହାଦ୍ବାରା ହାତୀ ମଣିଷ ଲଢେ଼ଇ ଜୋର‌୍‌ଦାର ହେଉଛି। ଜିଲ୍ଲାରେ ଏହି ହାତୀ ମଣିଷ ସ˚ଘର୍ଷକୁ ହ୍ରାସ କରିବା ପାଇଁ ହାତୀ ସ˚ରକ୍ଷଣ କ୍ଷେତ୍ରକୁ ସ˚ପ୍ରସାରିତ କରିବା ନେଇ ପ୍ରସ୍ତାବ ରହିଛି। ଏଥିନେଇ ଏକ ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅଧ୍ୟକ୍ଷତା କରି ଅଭୟାରଣ୍ୟ ଭିତରେ ଏବ˚ ଆଖପାଖ ଗ୍ରାମାଞ୍ଚଳରେ ରହୁଥିବା ଗ୍ରାମବାସୀ କିଭଳି ସୁରକ୍ଷିତ ରହିବେ ସେଥିନେଇ ସବିଶେଷ ଆଲୋଚନା ହୋଇଛି।

ସରକାରୀ ସୂଚନା ମୁତାବକ ଜିଲ୍ଲାରେ ହାତୀ ସ˚ରକ୍ଷଣ କ୍ଷେତ୍ରର ପରିସୀମା ଥିଲା ୧୦୩୮ ବର୍ଗ କିଲୋମିଟର। ଏହାକୁ ସ˚ପ୍ରସାରଣ କରାଯାଇ ୨୭୮୫ ବର୍ଗ କିଲୋମିଟର କରାଯିବାକୁ ପ୍ରସ୍ତାବ ରହିଛି। ଆଠମଲ୍ଲିକ ଓ ଅନୁଗୁଳ ବନଖଣ୍ତ ଅଧୀନରେ ଥିାବ ଏକାଧିକ ଗାଁ ଏହି ସ˚ରକ୍ଷଣ କ୍ଷେତ୍ର ମଧ୍ୟରେ ରହୁଥିବା ବେଳେ ସମ୍ବଲପୁର ହାତୀ ସ˚ରକ୍ଷଣ କ୍ଷେତ୍ର ମଧ୍ୟରେ ଆସୁଥିବା ଅନୁଗୁଳ ଜିଲ୍ଲାର ବାମୁର, ରଙ୍ଗମାଟିଆ, ପଥରଗଡ଼, ଡିମିରିଡିହ, ନାକଚି ଆଦି ଗାଁ ରହିବ। ସମ୍ବଲପୁର ହାତୀ ସ˚ରକ୍ଷଣ କ୍ଷେତ୍ର ବର୍ତ୍ତମାନ ୪୨୭ ବର୍ଗ କିଲୋମିଟର ଥିବା ବେଳେ ଏହାକୁ ୨୬୦୬ ବର୍ଗ କିଲୋମିଟରକୁ ସ˚ପ୍ରସାରିତ କରାଯିବାର ପ୍ରସ୍ତାବ ରହିଛି। ସେହିଭଳି ହାତୀ ଯୋଗୁଁ ଧନଜୀବନ ଅଥବା ଫସଲ ହାନି ଘଟିଲେ କିଭଳି କ୍ଷତିପୂରଣ ଶୀଘ୍ର ମିଳିପାରିବ, ସେଥିନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ହାତୀଙ୍କୁ ଜଗିବା ପାଇଁ ଗଜବନ୍ଧୁମାନଙ୍କୁ ନିଯୁକ୍ତି ଦିଆଯିବ। ହାତୀ ଉପଦ୍ରବ କରୁଥିବା ଅଞ୍ଚଳରେ ସୌରାଲୋକର ବ୍ୟବସ୍ଥା କରାଯିବାକୁ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଅନୁଗୁଳ, ଆଠମଲ୍ଲିକ,ବାମୁର ଅଞ୍ଚଳର ବନ ଅଧିକାରୀ ଏବ˚ ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ।