ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣା ବସ୍ଷ୍ଟାଣ୍ଡ ନିକଟରୁ ଦିନ ଦ୍ୱିପ୍ରହରରେ ବାଇକ ଡିକି ଭାଙ୍ଗି ଲକ୍ଷେ ୨୦ ହଜାର ଟଙ୍କା ଲୁଟ ହୋଇଛି। ଏତେ ସତର୍କତାର ସହ ଲୁଟ ହୋଇଛି ଯେ ନିଜେ ଗାଡି ମାଲିକ ବି ଏକଥା ଜାଣିପାରିଲେନି। ଘରେ ଯାଇ ଦେଖିବା ବେଳକୁ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ। ଲୁଟର ଶିକାର ହୋଇଥିବା ବ୍ୟକ୍ତି ହେଲେ ଗୋପାଳପ୍ରସାଦ ଥାନା ବୀରବରପୁର ଗାଁର ପ୍ରଭାତ କୁସୁମ ମହାପାତ୍ର(୫୪)।
ପ୍ରଭାତ ଅନୁଗୁଳସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୨୦ ହଜାର ଓ ଷ୍ଟେଟ୍ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ ନିଜ ବାଇକ ଡିକିରେ ରଖିଥିଲେ। ପରେ ବାଇକ୍ ନେଇ ପୁରୁଣା ବସ୍ଷ୍ଟାଣ୍ଡର ଏକ ଦୋକାନକୁ ଯାଇଥିଲେ। ସେଠାରୁ କିଛି ସାମଗ୍ରୀ କିଣିବା ପରେ ଗାଡ଼ି ଧରି ସିଧା ଘରକୁ ଯାଇଥିଲେ। କିନ୍ତୁ ଘରେ ପହଞ୍ଚିଲା ବେଳକୁ ଗାଡ଼ି ଡିକିରେ ଟଙ୍କା ନ ଥିଲା। ଡିକିରୁ ପାସ୍ବୁକ୍, ଚେକ୍ବୁକ ଓ ଅନ୍ୟାନ୍ୟ କାଗଜପତ୍ର ବି ଚୋରି ହୋଇଯାଇଥିଲା। ଏ ନେଇ ସେ ଅନୁଗୁଳ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି।