ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରୁ ହିଁ ସମଗ୍ର ବିଶ୍ବରେ ପ୍ରାୟ ୧ ଲକ୍ଷ ପ୍ରଯୁକ୍ତି ବା ଟେକ୍ କର୍ମଚାରୀ ଚାକିରି ହରାଇଛନ୍ତି। ଜାନୁଆରୀରେ ଆମାଜନ, ମାଇକ୍ରୋସଫ୍ଟ, ଗୁଗୁଲ, ସେଲ୍ଫୋର୍ସ ଏବଂ ଅନ୍ୟାନ୍ୟ କମ୍ପାନିଗୁଡିକ ସବୁଠାରୁ ଅଧିକ ଛଟେଇ କରିଛନ୍ତି। ବିଶ୍ବରେ ୨୮୮ରୁ ଊର୍ଦ୍ଧ୍ଵ କମ୍ପାନି ଦିନକୁ ହାରାହାରି ୩,୩୦୦ କର୍ମଚାରୀଙ୍କୁ ଛଟେଇ କରୁଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । କେବଳ ଆପଲ୍କୁ ଛାଡ଼ି ପ୍ରତ୍ୟେକ ବଡ଼ ଟେକ୍ନୋଲୋଜି କମ୍ପାନି ଛଟେଇ କରିଛନ୍ତି। ସୂଚନା ମୁତାବକ, ଜାନୁଆରୀରେ ଆମାଜନ ୧୮,୦୦୦ କର୍ମଚାରୀଙ୍କୁ କାଢ଼ିଥିବା ବେଳେ ଗୁଗୁଲ୍ ୧୨,୦୦୦ ଏବଂ ମାଇକ୍ରୋସଫ୍ଟ ୧୦,୦୦୦ଙ୍କୁ ବିଦା କରିଛି। ସେଲ୍ଫୋର୍ସ ୭,୦୦୦, ଆଇବିଏମ୍ ୩,୯୦୦ ଏବଂ ସାପ୍ ୩,୦୦୦ ଛଟେଇ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୨ ମସିହାରେ ୧୦୦୦ରୁ ଊର୍ଦ୍ଧ୍ଵ କମ୍ପାନି ୧,୫୪,୩୩୬ କର୍ମଚାରୀଙ୍କୁ ଛଟେଇ କରିଥିଲେ।