ମୁଖ୍ୟ ଖବର

୧୧ ଚୋରି ବାଇକ୍ ଜବତ, ୮ ଗିରଫ

By Sanjeeb Biswal

July 30, 2024

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ୧୧ଟି ଚୋରି ବାଇକ୍ ଉଦ୍ଧାର କରିବା ସହ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

ସୂଚନା ଯେ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସ୍‌ପି) ମ୍ୟାଟେରିଆଲ ଗେଟ୍‌ ସମ୍ମୁଖରୁ ଗତ ୧୫ ଦିନ ହେଲା ବାଇକ ଚୋରି ହେଉଥିଲା। ଏହି ଚୋରି ଘଟଣାର ପୋଲିସ ତଦନ୍ତ କରି ଜରପଡ଼ା ଥାନା ଅଞ୍ଚଳରୁ ୧୧ଟି ବାଇକ୍‌ ‌ ଉଦ୍ଧାର କରିଛି। ଏଥିସହ ବାଇକ୍‌ ଚୋରି କରିଥିବା ଜରପଡ଼ା ଥାନା ଅନ୍ତର୍ଗତ କଞ୍ଜରା ଗାଁର ଦୁଷ୍ମନ୍ତ ସାହୁ (୨୪), ମହେଶ୍ବର ସାହୁ(୨୭) ଓ ବିମଳବେଡ଼ା ଗାଁର ମୁନା ମାଝୀ(୨୭)ଙ୍କୁ ଗିରଫ କରିଛି। ଏହି ୩ଜଣଙ୍କ ତଥ୍ୟକୁ ଆଧାର କରି ପୋଲିସ ଚୋରି ବାଇକ୍‌ କିଣିବା ଅଭିଯୋଗରେ କଞ୍ଜରା ଗାଁର ପ୍ରହଲାଦ ସାହୁ (୨୬), ସୁମନ୍ତ ପ୍ରଧାନ (୪୦), ବାପୁନ ପ୍ରଧାନ(୨୪), ବିମଳବେଡ଼ା ଗାଁର ବାପୁନ ପ୍ରଧାନ(୨୪) ଓ ପରାଗାଁର ବୁନା ପ୍ରଧାନ(୨୫) ଙ୍କୁ ଗିରଫ କରି ୧୧ଟି ବାଇକ୍ ଉଦ୍ଧାର କରିଛି। ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି।