ମୁଖ୍ୟ ଖବର

ଦେଢ଼ ବର୍ଷରେ ଗଲାଣି ୧୧୪ ହାତୀଙ୍କ ଜୀବନ: ବିଧାନସଭାରେ ତଥ୍ୟ ରଖିଲେ ମନ୍ତ୍ରୀ

By Angul TV Bureau

February 24, 2026

ଭୁବନେଶ୍ୱର: ରାଜ୍ୟରେ ହାତୀ ମୃତ୍ୟୁର ବଢୁଥିବା ସଂଖ୍ୟାକୁ ନେଇ ଏବେ ସବୁଠି ଚିନ୍ତା। ବିଧାନସଭାରେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ। ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ବିଗତ ମାତ୍ର ୧୮ ମାସ ମଧ୍ୟରେ ରାଜ୍ୟରେ ୧୧୪ଟି ହାତୀଙ୍କର ମୃତ୍ୟୁ ଘଟିଛି, ଯାହା ବନ୍ୟପ୍ରାଣୀ ପ୍ରେମୀଙ୍କୁ ମର୍ମାହତ କରିଛି।

ମୃତ୍ୟୁର ପ୍ରମୁଖ କାରଣ:ବିଦ୍ୟୁତ ଆଘାତ: ହାତୀଙ୍କ ପାଇଁ ସବୁଠାରୁ ବଡ଼ ଶତ୍ରୁ ସାଜିଛି ବିଦ୍ୟୁତ। ସର୍ବାଧିକ ୪୨ଟି ହାତୀ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି।

ପ୍ରାକୃତିକ ଓ ଦୁର୍ଘଟଣାଜନିତ: ୧୭ଟି ହାତୀଙ୍କ ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଥିବା ବେଳେ ୧୩ଟି ହାତୀ ପାହାଡ଼ କିମ୍ବା ନଦୀ-ନାଳରେ ପଡ଼ି ଏବଂ ପରସ୍ପର ମଧ୍ୟରେ କଳହ ଯୋଗୁଁ ମୃତ୍ୟୁବରଣ କରିଛନ୍ତି।

ମଣିଷକୃତ କାରଣ: ଶିକାରୀଙ୍କ ଦ୍ୱାରା ୬ଟି ହାତୀଙ୍କୁ ହତ୍ୟା କରାଯାଇଥିବା ବେଳେ ରେଳ ଦୁର୍ଘଟଣାରେ ୪ଟି ଏବଂ ଲୋକଙ୍କ ଆକ୍ରୋଶର ଶିକାର ହୋଇ ୩ଟି ହାତୀଙ୍କ ଜୀବନ ଯାଇଛି।ତେବେ ଅପ୍ରାକୃତିକ ଭାବେ ହାତୀ ମୃତ୍ୟୁ ଘଟଣାକୁ ସରକାର ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଏହି ଘଟଣାଗୁଡ଼ିକରେ ସଂପୃକ୍ତ ଥିବା ୯୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି। ବନ୍ୟଜନ୍ତୁ ସୁରକ୍ଷା ପାଇଁ ଆଗକୁ କଠୋର ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।