ଅନୁଗୁଳ : ଦୀର୍ଘଦିନର ଅପେକ୍ଷାର ଆଜି ଅନ୍ତ ଘଟିଛି। ସାତକୋଶିଆ ଗଣ୍ଡକୁ ବାହୁଡ଼ିଛନ୍ତି ୧୨ ଘଡ଼ିଆଳ ଶାବକ। ଶନିବାର ସକାଳେ ସାତକୋଶିଆ ବନଖଣ୍ଡ ପକ୍ଷରୁ ମହାନଦୀର ସୁନାଖଣିଆ ଘାଟ ଠାରେ ଏହି ଛୁଆଙ୍କୁ ପୁଣି ଥରେ ନଦୀ ଜଳରେ ମୁକ୍ତ କରାଯାଇଛି।
ଗତ ଜୁଲାଇ ମାସରେ ନଦୀରେ ବନ୍ୟାଜଳ ଆସିଥିବା ବେଳେ ଏହି ଛୁଆ ଗୁଡିକ ଭାସିଯିବା ଭୟ ଲାଗି ରହିଥିଲା। ନବଜାତକ ସମସ୍ତ ଛୁଆଙ୍କ ମଧ୍ୟରୁ ୧୨ଟି ଶାବକକୁ ବନ ବିଭାଗ ଠାବ କରି କୃତ୍ରିମ ପୋଖରୀ ମଧ୍ୟରେ ରଖିଥିଲା। ନଦୀରେ ଜଳସ୍ତର କ୍ରମଶଃ ଖସିବା ପରେ ଶନିବାର ବନଖଣ୍ଡ ଅଧିକାରୀ ତଥା ବିଶେଷଜ୍ଞଙ୍କ ଉପସ୍ଥିତିରେ ପୁଣି ଥରେ ଏହି ଶାବକ ମାନଙ୍କୁ ପ୍ରାକୃତିକ ଆବାସ ସ୍ଥଳୀରେ ଛଡ଼ାଯାଇଥିବା ଜଣାପଡିଛି।
ସୂଚନା ଯେ ୨୦୨୧ ମସିହା ଠାରୁ ପ୍ରାକୃତିକ ଆବାସସ୍ଥଳୀରେ ସାତକୋଶିଆ ଗଣ୍ଡ ମଧ୍ୟରେ ଘଡ଼ିଆଳ ଅଣ୍ଡା ଫୁଟାଇ ଛୁଆ ଜନ୍ମ କରୁଥିବା ବେଳେ ଚଳିତ ବର୍ଷ ୩୫ଟି ଛୁଆ ଫୁଟାଇଥିଲା। ପ୍ରାୟ ୫ ମାସ କୃତ୍ରିମ ପୋଖରୀରେ ସେବା ଯତ୍ନ ଓ ସୁରକ୍ଷା ପରେ ଆଜି ମହାନଦୀର ସୁନାଖଣିଆ ଘାଟ ଠାରେ କୁମ୍ଭୀର ଛୁଆଙ୍କୁ ଛାଡି ଦିଆଯାଇଛି। ଏହି ସମୟରେ ସାତକୋଶିଆ ବନଖଣ୍ଡ ଅଧିକାରୀ ଡ଼ଃ ସରୋଜ ପଣ୍ଡା, ଏସିଏଫ ଆଲୋକ ଭୋଇ, ଡାକ୍ତର କିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।