ଅନୁଗୋଳ: ୪ ଦଫା ଦାବିକୁ ନେଇ ଜାତୀୟ କଂଗ୍ରେସ ପକ୍ଷରୁ ଗୁରୁବାର ତାଳଚେର ଉପଖଣ୍ଡରେ ବିକ୍ଷୋଭ ସହ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହାର ପ୍ରଭାବରେ ତାଳଚେରରେ ଦୋକାନବଜାର, ବ୍ୟାଙ୍କ, ବସ୍ ଚଳାଚଳ ସମେତ ଖଣି କାର୍ଯ୍ୟ ଓ କୋଇଲା ପରିବହନ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା।କଂଗ୍ରେସ ପକ୍ଷରୁ ଉଠାଯାଇଥିବା ଦାବିଗୁଡ଼ିକ ମଧ୍ୟରେ ଏମ୍ଏମ୍ଡିଆର୍ ଅଧିନିୟମ-୨୦୨୬ ପ୍ରତ୍ୟାହାର, ଦଳ ପକ୍ଷରୁ ‘କଳା ଆଇନ’ ବୋଲି ଅଭିହିତ ଆଇନ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ରହିଥିଲା।
ସକାଳୁ କଂଗ୍ରେସ କର୍ମୀମାନେ ତାଳଚେରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଖଣି କାର୍ଯ୍ୟ ବନ୍ଦ କରିବା ସହ ଯାନବାହନ ଚଳାଚଳକୁ ଅଟକାଇଥିଲେ। ଏହାଫଳରେ ରାସ୍ତା ଉପରେ ବହୁ ସଂଖ୍ୟକ ଟ୍ରକ୍ ଦୀର୍ଘ ସମୟ ଧରି ଅଟକି ରହିଥିଲା। ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ମଧ୍ୟ କିଛି ସମୟ ପାଇଁ ବନ୍ଦ ରହିଥିଲା। ପରେ ପରିସ୍ଥିତି ସ୍ୱାଭାବିକ ହେବା ସହ ଏହି କାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇଥିଲା।ବନ୍ଦ ଯୋଗୁଁ ବସ୍ ଚଳାଚଳ ପ୍ରଭାବିତ ହୋଇଥିବାରୁ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅନ୍ୟପଟେ ଦୋକାନବଜାର ଓ ବ୍ୟାଙ୍କ ଆଦି ବନ୍ଦ ରହିବାରୁ ଦୈନନ୍ଦିନ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଥିଲା।
ବନ୍ଦ ପାଳନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତାଳଚେର ଉପଖଣ୍ଡର ବିଭିନ୍ନ ସ୍ଥାନରେ ପୁଲିସ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତାଳଚେର କଂଗ୍ରେସର ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦକୁ ସଫଳ କରିବାକୁ ଉଦ୍ୟମ କରିଥିଲେ। ତେବେ ବନ୍ଦ ସମୟରେ ତାଳଚେର ଉପଖଣ୍ଡରେ କୌଣସି ବଡ଼ଧରଣର ଅଘଟଣ ଘଟିନଥିବା ଜଣାପଡ଼ିଛି।