Law Judge Gavel And Legality Symbol

ମୁଖ୍ୟ ଖବର

ଦୁଇ ବର୍ଷ ତଳର ଦୁଷ୍କର୍ମ ମାମଲାର ଶୁଣାଣି: ଅଭିଯୁକ୍ତକୁ ୧୨ ବର୍ଷ କାରାଦଣ୍ଡ

By Angul TV Bureau

January 04, 2023

ଅନୁଗୁଳ: ଦୁଇ ବର୍ଷ ତଳେ ବନ୍ତଳା ଥାନା ଇଲାକାରେ ଜଣେ ଯୁବତୀକୁ ଜଙ୍ଗଲକୁ ନେଇ ବଳାତ୍କାର କରିବା ମାମଲାର ଶୁଣାଣି ମଙ୍ଗଳବାର ଜିଲ୍ଲା ଫାଷ୍ଟଟ୍ରାକ୍ ସ୍ପେଶାଲ୍ କୋର୍ଟରେ ହୋଇଛି। ଆଡ୍‌ହକ୍‌ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପି.ଆର୍. ବହିଦାର ମାମଲାର ଶୁଣାଣି କରି ଅଭିଯୁକ୍ତ ବଡ଼କନ୍ତକୁଳ ଗ୍ରାମର ସୁଦର୍ଶନ ନାଏକ(୪୩) କୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟ ଦେଇଛନ୍ତି ।

ସୂଚନା ମୁତାବକ, ୨୦୨୦ ସେପ୍ଟେମ୍ବର ୨ ତାରିଖରେ ବଅଁରପାଳ ଥାନା ଇଲାକାର ଜଣେ ଯୁବତୀ ନିଜ ଅପାଙ୍କ ସହ ଅନୁଗୁଳ ସହର ଆସିଥିଲେ। ବସଷ୍ଟାଣ୍ଡରେ ଯୁବତୀଙ୍କୁ ଛାଡ଼ି ଅପା ମାର୍କେଟିଂ କରିବାକୁ ଯାଇଥିଲେ। କିନ୍ତୁ ଦୀର୍ଘ ସମୟ ପରେ ବି ସେ ଫେରିନଥିଲେ। ଯୁବତୀ ବସଷ୍ଟାଣ୍ଡରେ ବସିଥିବା ବେଳେ ଅଭିଯୁକ୍ତ ସୁଦର୍ଶନ ପହଞ୍ଚି ତାଙ୍କୁ ଘରେ ଛାଡ଼ିଦେବ ବୋଲି କହି ଅଟୋରିକ୍ସା ଆଣି ବସିବାକୁ କହିଥିଲା। ଯୁବତୀ ବି ବିଶ୍ୱାସ କରି ଅଟୋରେ ବସିଥିଲେ। ମାତ୍ର ସେ ବଅଁରପାଳ ଆଡ଼କୁ ଯିବା ପରିବର୍ତ୍ତେ ବନ୍ତଳା ଆଡ଼କୁ ନେଇ ନିଜ ଗ୍ରାମ ବଡ଼କନ୍ତକୁଳରେ ପହଞ୍ଚିଥିଲା। ସେଠାରେ ତାଙ୍କୁ ଜଙ୍ଗଲକୁ ନେଇ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲା। ଯୁବତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ରୁଣ୍ଡ ହେବାରୁ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଏନେଇ ଯୁବତୀ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାରେ ଜିଲ୍ଲା ଫାଷ୍ଟଟ୍ରାକ୍ କୋର୍ଟ ଶୁଣାଣି କରି ଅଭିଯୁକ୍ତ ସୁଦର୍ଶନକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ପେଶାଲ୍ ପବ୍ଲିକ୍ ପ୍ରସିକ୍ୟୁଟର ସୁଶାନ୍ତ କୁମାର ମିଶ୍ର ମାମଲାର ପରିଚାଳନା କରିଥିଲେ।