ମୁଖ୍ୟ ଖବର

ଏଣିକି କଳାହୀରା ସହର ତାଳଚେରକୁ ଜଗିବ ୧୨୩ଟି ସିସିଟିଭି କ୍ୟାମେରା

By Angul TV Bureau

December 23, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲାର ତାଳଚେର ସହର ଏବେ ଅପରାଧୀଙ୍କ ଚରାଭୂମି ପାଲଟିଛି। ବିଶେଷ କରି ତାଳଚେର ସହରରେ ଅପରାଧ ଓ ଦୁର୍ଘଟଣା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏହାକୁ ରୋକିବା ସହ ନିୟନ୍ତ୍ରଣ ଭିତରକୁ ଆଣିବା ପାଇଁ ବହୁ ବିଳମ୍ବ ହେଲେ ମଧ୍ୟ ଜିଲ୍ଲା ପୋଲିସ ଓ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଛି। ତାଳଚେର ଅଞ୍ଚଳର ଅପରାଧ ନିୟନ୍ତ୍ରଣ ପାଇଁ ଏକ ଡାଟା ବେସ ପ୍ରସ୍ତୁତ କରାଯାଇଛି। ଆଉ କିଛି ଦିନର ବ୍ୟବଧାନ ପରେ ଏହି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଯିବ। ଖୁବ କମ୍ ଦିନରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଛନ୍ତି।

ତେବେ ତାଳଚେର ପୋଲିସ ଓ ପ୍ରଶାସନ ପକ୍ଷରୁ ସିଟି ସର୍ଭେଲାନ୍ସ ସିଷ୍ଟମ କାର୍ଯ୍ୟକ୍ଷମ କରାଯିବ। ତାଳଚେର ସହର ଠାରୁ ୩୦ କିଲୋମିଟର ଦୂରରେ ଥିବା ହିଙ୍ଗୁଳା ମନ୍ଦିର ଠାରୁ ତାଳଚେର ରାଜବାଟୀ ପର୍ଯ୍ୟନ୍ତ ଏବଂ ତାଳଚେର ଗୋଡ଼ିବନ୍ଧ ଛକ ଠାରୁ ଆରମ୍ଭ କରି ବଲ୍ଲର ଛକ ପର୍ଯ୍ୟନ୍ତ ପ୍ରମୁଖ ଛକ ଗୁଡିକରେ ସିସିଟିଭି କ୍ୟାମେରା ଲଗାଯିବାର ଯୋଜନା ହୋଇଛି ବୋଲି ତାଳଚେର ପୌର ପାଳିକାର ନିର୍ବାହୀ ଯନ୍ତ୍ରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି। ଏଥି ସହ ଗୋପାଳ ପ୍ରସାଦ, ନୂତନ ଥାନା ଛକ ଠାରୁ କଳମଛୁଇଁ, ଅନୁଗୁଳ ରାସ୍ତା, ହିଙ୍ଗୁଳା ମନ୍ଦିର ଠାରୁ କଣିହାଁ ଅଭିମୁଖେ ଯାଇଥିବା ମୁଖ୍ୟ ରାସ୍ତା, ସାଉଥ ବଲଣ୍ଡା, ମେଡିକାଲ ଛକ, ସେଣ୍ଟ୍ରାଲ ହସ୍ପିଟାଲ ଛକ, ଡେରା ଶିବ ମନ୍ଦିର ଛକ, ହାଣ୍ଡିଧୂଆଁ ଛକ, ଶର୍ମା ଛକ, ଆଇଟିଆଇ ଛକ, କଚେରୀ ରୋଡ଼, କୋର୍ଟ ଛକ, ରେମୁଆଁ ଛକ, ମଙ୍ଗଳା ମନ୍ଦିର ଛକ, ନବମିଶ୍ର କଲୋନୀ ଛକ, ଏନଏଚ ଟ୍ରାଫିକ ଛକ, ଅନନ୍ତରାମ ଗେଟ, ବଡବଜାର ଛକ, ବଡ଼ ଦାଣ୍ଡ ଛକ, ଘୋଡ଼ାଶାଳା ଛକ, ରାଜବାଟୀ, ଉପଖଣ୍ଡ ଡାକ୍ତରଖାନା, ଷ୍ଟେସନ ଛକ, ବାଇପାସ ଛକ, ପବିତ୍ରମୋହନ ଛକ ଦେଇ ଡାହାଣକୁ ଯାଇ ବଲ୍ଲର ଛକ ପର୍ଯ୍ୟନ୍ତ ଓ ଏନଏଚ ଟ୍ରାଫିକ ଛକ ଠାରୁ ବାମକୁ ଯାଇ ବସ ଷ୍ଟାଣ୍ଡ ଛକ, ବିଜୁପଟ୍ଟନାୟକ ଛକ, କଲେଜ ଛକ, କୋଲ କରିଡ଼ର ରାସ୍ତା, ତାଳବେଡା ଛକ, ଗୋଡ଼ିବନ୍ଧ ଛକରେ ଉଚ୍ଚ କ୍ଷମତା ସମ୍ପନ୍ନ ୧୨୩ଟି ସିସିଟିଭି କ୍ୟାମେରା ଖଞ୍ଜା ଯିବାର ଯୋଜନା ରହିଛି l

କେବଳ ସେତିକି ନୁହେଁ, ତାଳଚେର ଅଞ୍ଚଳରେ ବୃଦ୍ଧି ପାଉଥିବା ବିଭିନ୍ନ କୋଇଲା ଖଣିରୁ ଡିଜେଲ, କୋଇଲା ଓ ବିଭିନ୍ନ ଯନ୍ତ୍ରାଂଶ ଚୋରି ଡକାୟତି ଓ ରାହାଜାନି ଭଳି ସଙ୍ଗୀନ ଅପରାଧ ଓ ଅପରାଧୀଙ୍କ ଉପରେ ଏହି କ୍ୟାମେରା ତୀକ୍ଷ୍ଣ ନଜର ରଖିବ ବୋଲି ଜଣାପଡ଼ିଛି।