ମୁଖ୍ୟ ଖବର

ନବକୃଷ୍ଣ ଚୌଧୁରୀଙ୍କ ୧୨୫ତମ ଜୟନ୍ତୀ ସମାରୋହ ଉଦଯାପିତ

By Biswaranjan Pattnaik

November 25, 2026

ଅନୁଗୋଳ: ଅନୁଗୋଳ ବାଜିରାଉତ ଛାତ୍ରାବାସ ପରିସରରେ ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୫ତମ ଜୟନ୍ତୀ ସମାରୋହ ଉଦଯାପିତ ହୋଇଯାଇଛି। ସମାରୋହରେ ଗାନ୍ଧିବାଦୀ ଲେଖକ ସଂଗ୍ରାମ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ନିଜ ଅଭିଭାଷଣରେ ସେ ନବକୃଷ୍ଣ ଚୌଧୁରୀଙ୍କୁ ଜଣେ ବିଦ୍ରୋହୀ ଜନନାୟକ ଭାବେ ବର୍ଣ୍ଣନା କରିବା ସହ ସମାଜରେ ନିଶା ସେବନ, ରାଜନୈତିକ ଅସାଧୁତା ଓ ପ୍ରଶାସନିକ ଦୁର୍ନୀତି ବିରୋଧରେ ତାଙ୍କର ଦୃଢ଼ ସ୍ୱର ଉତ୍ତୋଳନ ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟବକ୍ତା ଭାବେ ପ୍ରଫେସର ଧନେଶ୍ୱର ସାହୁ ଯୋଗଦେଇ ନବବାବୁଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ। ଗାନ୍ଧିବାଦ, ସମାଜବାଦ ଓ ମାନବବାଦୀ ଚିନ୍ତାଧାରାରେ ପ୍ରଭାବିତ ହୋଇ ସେ ଏକ ନୂତନ ଓଡ଼ିଶା ଗଠନର ସ୍ୱପ୍ନ ଦେଖିଥିଲେ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ବିଶିଷ୍ଟ ସ୍ଥପତି ଇଂ. ସନ୍ଦୀପ ଦାସବର୍ମା ନବକୃଷ୍ଣଙ୍କ ପୁସ୍ତକ ପଠନ ଅଭ୍ୟାସ ଆଜିର ଛାତ୍ର ସମାଜକୁ ଅନୁପ୍ରାଣିତ କରିବ ବୋଲି ମତ ରଖିଥିଲେ। ସଭାରେ ଶାନ୍ତନୁ କୁମାର ସର ସଭାପତିତ୍ୱ କରି ନବବାବୁଙ୍କୁ ତ୍ୟାଗ, ତପସ୍ୟା ଓ ମୂଲ୍ୟବୋଧର ପ୍ରତୀକ ବୋଲି ଅଭିହିତ କରିଥିଲେ। ନବକୃଷ୍ଣ ଚୌଧୁରୀଙ୍କ କନ୍ୟା କୃଷ୍ଣା ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସକାଳେ ଉଦ୍ୟାନ କୃଷି ସମ୍ପର୍କିତ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା। ଜୟନ୍ତୀ ପାଳନ କମିଟି ପକ୍ଷରୁ ଆଡଭୋକେଟ୍ ପରମାନନ୍ଦ ମିଶ୍ର, ଇନ୍ଦିରା ଦାସ, ଇଂ. ଧନେଶ୍ୱର ମିଶ୍ର, ଅନ୍ତର୍ଯ୍ୟାମୀ ବରାଳ ଓ ଆଦ୍ୟାଶ୍ଳୋକ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।