ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୨ଶ ଆନ୍ତର୍ଜାତିକ ଯୋଗ ଦିବସ ବେଶ୍ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ‘ଯୋଗ ମହୋତ୍ସବ ସମିତି, ଓଡ଼ିଶା’ର ମିଳିତ ପ୍ରୟାସରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚଳିତ ବର୍ଷ ‘ସୁସ୍ଥ ଦୀର୍ଘାୟୁ ପାଇଁ ଯୋଗ’ ବିଷୟବସ୍ତୁ ଉପରେ ବିଶେଷ ଆଲୋକପାତ କରାଯାଇଥିଲା।
ଏହି ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ନିଜ ଅଭିଭାଷଣରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ଯୋଗାଭ୍ୟାସକୁ ପ୍ରତ୍ୟେକ ମଣିଷ ନିଜ ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଅଂଶ ଭାବେ ଗ୍ରହଣ କରିବା ଉଚିତ। ବିଶେଷ କରି ସେ ‘ଜେନ-ଜି’ ଅର୍ଥାତ୍ ଆଜିର ଯୁବପିଢ଼ିଙ୍କୁ ଏକ ସନ୍ତୁଳିତ ଓ ସୁସ୍ଥ ଜୀବନଶୈଳୀ ପାଇଁ ମନ ଓ ଶରୀରର ସନ୍ତୁଳନ ରକ୍ଷା କରୁଥିବା ଏହି ପ୍ରାଚୀନ ଭାରତୀୟ ଯୋଗ ବିଜ୍ଞାନକୁ ଆପଣାଇବା ପାଇଁ ବିଶେଷ ଆହ୍ୱାନ କରିଥିଲେ।ଏଥିସହ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ‘ଯୋଗ ସଚେତନତା ଅଭିଯାନ’ ନିରନ୍ତର ଜାରି ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିବା ସହ ବହୁ ସଂଖ୍ୟାରେ ଯୋଗ ଦେଇଥିବା ସମସ୍ତ ଅତିଥି, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ସମାରୋହରେ ବିହାରସ୍ଥିତ ଡଃ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଓଡ଼ିଶାର ଏହି ଅଗ୍ରଣୀ ବିଶ୍ୱବିଦ୍ୟାଳୟରେ ଏତେ ବଡ଼ ସ୍ତରରେ ଯୋଗ ଦିବସ ଆୟୋଜନ କରାଯାଇଥିବାରୁ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଥିଲେ। ସେ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଯୋଗର ବିଭିନ୍ନ ଉପକାରିତା ବିଷୟରେ ଆଲୋଚନା କରି କହିଥିଲେ ଯେ, ଆଜିର ପ୍ରତିଯୋଗିତାମୂଳକ ସମୟରେ ପାଠପଢ଼ା ଏବଂ କ୍ୟାରିୟର ଚାପର ସଫଳ ମୁକାବିଲା କରିବାରେ ଯୋଗ ଏକ ମହୌଷଧି ସଦୃଶ କାର୍ଯ୍ୟ କରିଥାଏ।
କାର୍ଯ୍ୟକ୍ରମ ସମୟରେ ‘ଯୋଗ ମହୋତ୍ସବ ସମିତି, ଓଡ଼ିଶା’ର ପ୍ରଶିକ୍ଷିତ ସଦସ୍ୟ ମାନଙ୍କ ଦ୍ଵାରା ଯୋଗର ବିଭିନ୍ନ ଆସନ ଓ ପ୍ରାଣାୟାମ ଅଭ୍ୟାସ କରାଯାଇଥିଲା, ଯାହାକୁ ଉପସ୍ଥିତ ସମସ୍ତ ଅତିଥି ଓ ଶିକ୍ଷାର୍ଥୀ ଅନୁସରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆର.ଏସ.ଏସ. ର ବିଭାଗ କାର୍ଯ୍ୟବାହ ଶ୍ରୀ ପ୍ରସନ୍ନ ସେନାପତି, ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟ ଏବଂ କୁଳସଚିବ ଡକ୍ଟର ସ୍ୱାତୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଗବେଷକ ଏହି ସାମୂହିକ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।