ଘଟଣା ଓ ଦୁର୍ଘଟଣା

ମଧ୍ୟମ ଜଳସେଚନ ବିଭାଗ ଷ୍ଟୋରର ଯନ୍ତ୍ରାଂଶ ଚୋରି ବେଳେ ମାଡ଼ି ବସିଲା ପୋଲିସ, ୧୩ ଗିରଫ

By Angul TV Bureau

January 21, 2023

ଆଠମଲ୍ଲିକ: ଆଠମଲ୍ଲିକ ସ୍ଥିତ ମନଜୋର ମଧ୍ୟମ ଜଳସେଚନ ବିଭାଗ ଷ୍ଟୋରରେ ଥିବା ପୁରୁଣା ମେସିନ ଯନ୍ତ୍ରପାତିଗୁଡିକୁ ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଚୋରି କରି ନେଉଥିବା ବେଳେ ପୋଲିସ ମାଡ଼ି ବସିଛି। ପୋଲିସ ଅତର୍କିତ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବାର ଚକିଆ ଟ୍ରକ ଓ ଗୋଟିଏ ମାରୁତି ବ୍ରିଜା ଗାଡି ଜବତ କରିଛି। ଗିରଫ ୧୩ ଜଣଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି l ସୂଚନା ମୁତାବକ, ଜଳସେଚନ ବିଭାଗ ଷ୍ଟୋରରେ ଦୁର୍ବୃତ୍ତ ପଶି ଗ୍ୟାସ୍ କଟର ମେସିନ ସାହାଯ୍ୟରେ ଡୋଜର, ରୋଲର, କମ୍ପ୍ରେସର ଭଳି ଯନ୍ତ୍ରାଂଶ ଓ ଲୁହା ପାଇପକୁ କାଟି ଏକ ବାରଚକିଆ ଟ୍ରକରେ ବୋଝେଇ କରି ନେଉଥିଲେ। ଖବର ପାଇ ଆଠମଲ୍ଲିକ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଚିନ୍ତାମଣି ପ୍ରଧାନ ଆଠମଲ୍ଲିକ ଥାନା, କିଆକଟା ଥାନା ଓ କିଶୋରନଗର ଥାନାକୁ ଚଢ଼ାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଚଢ଼ଉ କରି ୧୩ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଏଥିସହ ବାରଚକିଆ ଟ୍ରକ ଓ ଗୋଟିଏ ମାରୁତି ବ୍ରିଜା ଗାଡ଼ି ଜବତ କରିଥିବା ଜଣାଯାଇଛି। ଗିରଫ ମାନେ ହେଉଛନ୍ତି ସମ୍ବଲପୁର ଜିଲ୍ଲା ବରେଇପାଲି ଥାନା ଅନ୍ତର୍ଗତ ଗୋବିନ୍ଦ ସତନାମୀ (୨୧), ଭୋଲେ ଓରାମ (୨୪ ), ଅଇଁଠାପାଲି ଥାନା ଅନ୍ତର୍ଗତ ଜୁଗୁନୁ ଓରାମ (୨୫), ସଦର ଥାନା ଅନ୍ତର୍ଗତ ହେମନ୍ତ ବିଶ୍ୱାଳ (୨୪ ), ସୁମନ୍ତ ଭୋଇ (୨୨), ଜମନକିରା ଥାନା ଅନ୍ତର୍ଗତ ପ୍ରଭାକର ମାଝୀ (୩0), ଅଶୋକ ପ୍ରଧାନ (୩୩), ରାଜକୁମାର ପ୍ରଧାନ (୨୩), ବରୁଣ ମଲ୍ଲିକ (୩0), ଶାସନ ଥାନା ଅନ୍ତର୍ଗତ ଜ୍ୟୋତିଷ ନାଏକ (୨୩),ପଡିଆବାହାଳ ଥାନା ଅନ୍ତର୍ଗତ ମିଲନ ସାହୁ (୩୮), ଧନୁପାଲି ଥାନା ଅନ୍ତର୍ଗତ ନିଶାର ରହମାନ (୩୭), ଓ ଜାହାଙ୍ଗୀର ଖାନ (୨୯ )।