ମୁଖ୍ୟ ଖବର

ଚାକିରି ନାଁରେ ୧୫.୬୦ ଲକ୍ଷ ଟଙ୍କା ଠକେଇ: ଦେବଗଡ଼ ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ଆକାଉଣ୍ଟସ ମ୍ୟାନେଜର ଗିରଫ

By Angul TV Bureau

April 27, 2026

ଅନୁଗୁଳ: ଡାକ୍ତରଖାନାରେ ଚାକିରି କରାଇଦେବା ନାଁରେ ୧୫ ଲକ୍ଷ ୬୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତତ୍କାଳୀନ ଆକାଉଣ୍ଟସ ମ୍ୟାନେଜର ପରମେଶ୍ୱର ନାୟକଙ୍କୁ ପୋଲିସ ଗିରଫ କରିଛି। ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଦେବଗଡ଼ ପୋଲିସ ସୂଚନା ଦେଇଛି।

ଅଭିଯୋଗ ଅନୁସାରେ, ପରମେଶ୍ୱର ନାୟକ ଆଟେଣ୍ଡାଣ୍ଟ, ଝାଡୁଦାର ଏବଂ ସୁପରଭାଇଜର ପଦବୀରେ ନିଯୁକ୍ତି ଦେବା ପାଇଁ ୧୨ ଜଣ ଆଶାୟୀଙ୍କ ଠାରୁ ଜଣପିଛା ୧ ଲକ୍ଷ ୩୦ ହଜାର ଟଙ୍କା ହିସାବରେ ମୋଟ ୧୫ ଲକ୍ଷ ୬୦ ହଜାର ଟଙ୍କା ଆଦାୟ କରିଥିଲେ। ୨୦୨୫ ଜୁଲାଇ ମାସରେ ଟଙ୍କା ନେଇ ୧୫ ଦିନ ଭିତରେ ଚାକିରି କରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଚାକିରି ଦେବା ବଦଳରେ ସେ କେବଳ ଦିନ ଗଡାଇ ଚାଲିଥିଲେ।

ଗତ ନଭେମ୍ବର ମାସରେ ପରମେଶ୍ୱରଙ୍କ କନ୍ଧମାଳ ଜିଲ୍ଲାକୁ ବଦଳି ହେବା ପରେ ସେ ଆଶାୟୀଙ୍କ ସହ ଆଉ ଯୋଗାଯୋଗ କରିନଥିଲେ। ଠକେଇର ଶିକାର ହୋଇଥିବା କୁରଡ ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରା ଗତ ମାର୍ଚ୍ଚ ୧୫ ତାରିଖରେ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ବିଏନଏସର ଦଫା ୩୧୮(୪), ୨୯୬, ୩୫୧(୩)ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଆଜି ଅଭିଯୁକ୍ତ ପରମେଶ୍ୱର ନାୟକଙ୍କୁ ଗିରଫ କରାଯାଇଛି। ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହିଛି।