ମୁଖ୍ୟ ଖବର

ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ଅଭିଯାନ ଆରମ୍ଭ: ‘ପ୍ରତ୍ୟେକ ମହିଳାଙ୍କ ପାଇଁ ନ୍ୟାୟ’ ବାର୍ତ୍ତା ନେଇ ଅନୁଗୋଳରେ ସଚେତନତା ରାଲି

By Angul TV Bureau

November 25, 2026

ଅନୁଗୋଳ: ଜିଲ୍ଲାରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ୧୬ ଦିନିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ଓ ପିପୁଲ୍ସ ଫୋରମ୍ (ସଖୀ ୱାନ୍ ଷ୍ଟପ୍ ସେଣ୍ଟର)ର ମିଳିତ ସହଯୋଗରେ ‘ପ୍ରତ୍ୟେକ ମହିଳାଙ୍କ ପାଇଁ ନ୍ୟାୟ’ ବାର୍ତ୍ତା ନେଇ ଆୟୋଜିତ ଏହି ଅଭିଯାନକୁ ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରା ଶୁଭାରମ୍ଭ କରିଥିଲେ।

ଏହି ଅବସରରେ କଲେଜ ଛାତ୍ରଛାତ୍ରୀ, କିଶୋର-କିଶୋରୀ, ମିଶନ ଶକ୍ତି ମହିଳା, ଅଙ୍ଗନୱାଡ଼ି କର୍ମୀ, ପ୍ରେରଣା ଦିଦି ଓ ବିଭିନ୍ନ ସଂଗଠନର ପ୍ରତିନିଧିମାନେ ସଚେତନତା ରାଲିରେ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀ, ସମାଜ ମଙ୍ଗଳ ଅଧିକାରୀ ସୁଜାତା ମହାପାତ୍ର, ପ୍ରୋଗ୍ରାମ ଅଫିସର ତଥା ସୁରକ୍ଷା ଅଧିକାରୀ ରୁନୁ ପ୍ରଧାନ ଓ ୟୁନିସେଫ୍ ପ୍ରତିନିଧି ସନ୍ଧ୍ୟାରାଣୀ ନାୟକ ଉପସ୍ଥିତ ଥିଲେ। ଶେଷରେ ମହିଳାଙ୍କ ଉପରେ ହିଂସା ବିରୋଧରେ ସମସ୍ତେ ସାମୂହିକ ଶପଥ ନେଇଥିଲେ। ଆସନ୍ତା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଅଭିଯାନ ଜାରି ରହିବ।