ମୁଖ୍ୟ ଖବର

୧୬ କେଜି ଗଞ୍ଜେଇ ଜବତ: ଚୋରା ଚାଲାଣ ବେଳେ ୨ ଗିରଫ

By Biswaranjan Pattnaik

June 01, 2026

ଅନୁଗୁଳ: ଅନୁଗୁଳ ପୋଲିସ ଚୋରା ଗଞ୍ଜେଇ ଚାଲାଣ ରୋକିବାରେ ବଡ ସଫଳତା ପାଇଛି। ପୋଲିସ ୧୬ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ଆଠମଲ୍ଲିକ ପୁରୁଣା ମାଣିତ୍ରି ଅଞ୍ଚଳର ଅନନ୍ତ କଅଁର ଏବଂ ଚନ୍ଦନ ନାଏକ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୩୧ ତାରିଖ ଦିନ ଅବୈଧ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପୋଲିସକୁ ମିଳିଥିଲା। ଏହି ସୂଚନା ଆଧାରରେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ରାଣିଗୋଡା ରେଳ ଷ୍ଟେସନ ନିକଟ ଦୁର୍ଗା ମଣ୍ଡପ ପାଖରେ ଚଢାଉ କରିଥିଲା। ଚଢାଉ ସମୟରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ଦୁଇ ଜଣ ଯୁବକଙ୍କୁ ପୋଲିସ ଅଟକ ରଖିଥିଲା।

ସେମାନଙ୍କ ଏୟାର ବ୍ୟାଗ୍ ଯାଞ୍ଚ କରିବାରୁ ପ୍ରାୟ ୧୬ କେଜି ଗଞ୍ଜେଇ ମିଳିଥିଲା। ଏହି ଚଢାଉ ଟିମ୍‌ରେ ଏସଆଇ ଆଦିତ୍ୟ କୁମାର ପଟ୍ଟନାୟକଙ୍କ ସହ ବିଜୟ କୁମାର ନାୟକ, ଉପେନ୍ଦ୍ର ନାୟକ ଏବଂ ରଞ୍ଜିତା ବେହେରା ପ୍ରମୁଖ ସାମିଲ ଥିଲେ। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।