ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଅଞ୍ଚଳର ଲୁହାମୁଣ୍ଡା ଠାରେ ଶୁକ୍ରବାର ଭୋର ୫ଟା ସମୟରେ ଏକ ତୀର୍ଥଯାତ୍ରୀ ବୋଝେଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚାଳକ ଭାରସାମ୍ୟ ହରାଇ ବସଟି ଡିଭାଇଡରରେ ଧକ୍କା ଦେଇ ପିଟି ହୋଇଯାଇଥିଲା।
ଏହି ଦୁର୍ଘଟଣାରେ ଭୁବନେଶ୍ୱର ନିକଟସ୍ଥ ବାଳକାଟି ଅଞ୍ଚଳର ମାନସ ରଞ୍ଜନ ସାହୁ, ଦେବଶ୍ୱନୀ ବେହେରା, କରିସ୍ମା ବେହେରା, ବୁବୁନ ମହାପାତ୍ର, ରିନା ବେହେରା, ଯୋଗେନ୍ଦ୍ର ସାହୁ, ମାମିନା ସାହୁ, ମିତାଲି ସାହୁ, ଚନ୍ଦନ କୁମାର ବେହେରା, ପୂଜା ପତି, ରଶ୍ମି ପ୍ରସାଦ ମହାପାତ୍ର, ୫ ବର୍ଷୀୟ ବାଳକ ପ୍ରିୟାଂଶୁ ବେହେରା, ନାରାୟଣ ମହାପାତ୍ର, ଲକ୍ଷ୍ମୀପ୍ରିୟା ମହାପାତ୍ର, ସସ୍ମିତା ସାହୁ ଏବଂ ଡଙ୍କପାଣି ରୋଡ଼ର ଚନ୍ଦ୍ରଶେଖର ନାୟକ ସହ ମୋଟ ୧୬ ଜଣ ଗୁରୁତର ଆହତ ହୋଇଛନ୍ତି।
ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ସମସ୍ତଙ୍କୁ କିଶୋରନଗର ମେଡିକାଲରେ ଭର୍ତ୍ତି କରାଯାଇଛି।ଜଣାପଡ଼ିଛି, ଭୁବନେଶ୍ୱରରୁ ସମଲେଇ ଦର୍ଶନ ପାଇଁ ଯାଉଥିବା ଏହି ୧୬ ଜଣ ଯାତ୍ରୀ ଓଡ଼ି-୦୨-ସିଏମ-୫୫୭୧ ନମ୍ବର ଟୁରିଷ୍ଟ ବସରେ ଯାତ୍ରା କରୁଥିଲେ। ଚାଳକ ନିଦ୍ରାଜନିତ ଭାରସାମ୍ୟ ହରାଇବାରୁ ଲୁହାମୁଣ୍ଡା ଡିଭାଇଡରରେ ବସଟି ଧକ୍କା ଖାଇଥିଲା।
ଖବର ପାଇ ବଇଣ୍ଡା ଥାନା ଅଧିକାରୀ ତପନ କୁମାର ରାଏ ଘଟଣାସ୍ଥଳରେ ପହଞ୍ଚି ବସକୁ ଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।