ମୁଖ୍ୟ ଖବର

ଅନୁଗୁଳରେ ୧୬ତମ ଜାତୀୟ ଭୋଟର୍ ଦିବସ ପାଳିତ: “My India, My Vote” ବାର୍ତ୍ତାରେ ସଚେତନ ହେଲେ ନାଗରିକ

By Angul TV Bureau

January 26, 2026

ଅନୁଗୁଳ: ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬ତମ ଜାତୀୟ ଭୋଟର୍ ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ “My India, My Vote” କୁ ଆଧାର କରି ସାଧାରଣ ନାଗରିକ, ବିଶେଷ କରି ଯୁବ ଭୋଟରଙ୍କୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକ ବିଶାଳ ଭୋଟର୍ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏହାକୁ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଉଦୟ କୁମାର ମହାପାତ୍ର ଏବଂ ଉପଖଣ୍ଡ ଜିଲ୍ଲାପାଳ ମାୟାଧର ବେହେରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳ କାର୍ଯ୍ୟାଳୟରୁ ବାହାରିଥିବା ଏହି ରାଲିରେ ଶତାଧିକ ଛାତ୍ରଛାତ୍ରୀ ଓ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରି ଅନୁଗୁଳ ସହର ପରିକ୍ରମା କରିବା ସହ ଭୋଟର ସଚେତନତା ସ୍ଲୋଗାନ ଦେଇଥିଲେ।

ସଭାଘର ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସାଧାରଣ ସଭାରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ନୂତନ ଭାବେ ପଞ୍ଜୀକୃତ ହୋଇଥିବା ଭୋଟରମାନଙ୍କୁ ସେମାନଙ୍କର EPIC (ଭୋଟର ପରିଚୟ ପତ୍ର) ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ନିର୍ବାଚନ ପରିଚାଳନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ BLO, BLO ସୁପରଭାଇଜର ଓ ସଂସ୍ଥାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବରୁ ଆୟୋଜିତ ରଚନା, ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଅବସରପ୍ରାପ୍ତ IAS ଅଧିକାରୀ ଧରଣୀଧର ନାଥ କହିଥିଲେ ଯେ, “ସଚେତନ ଓ ନୀତିମୂଳକ ଭୋଟ ଦାନ ହିଁ ଏକ ସୁଦୃଢ଼ ଗଣତନ୍ତ୍ରର ଭିତ୍ତିଭୂମି।” କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଉପଖଣ୍ଡ ଜିଲ୍ଲାପାଳ ମାୟାଧର ବେହେରା, ଉପ ଜିଲ୍ଲା ନିର୍ବାଚନ ଅଧିକାରିଣୀ ମମତା ପ୍ରଧାନ, ଡେପୁଟି କଲେକ୍ଟର ସ୍ବାହା ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଜିତ ଧଳ ଏବଂ ସହକାରୀ ଜିଲ୍ଲାପାଳ ସୁକାନ୍ତ କୁମାର ସାହୁ ଓ ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।