ମୁଖ୍ୟ ଖବର

ପରୀକ୍ଷା ନ କରି ଇଣ୍ଟରନାଲରେ ୧୮୦ ପିଲା ଫେଲ୍, କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ଛାତ୍ରଛାତ୍ରୀ

By Angul TV Bureau

May 22, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ମାଲ୍ୟଗିରି ମହାବିଦ୍ୟାଳୟରେ ଯୁକ୍ତ ତିନି ତୃତୀୟ ସେମିଷ୍ଟାର ଇଂରାଜୀ ଇଣ୍ଟରନାଲ ପରୀକ୍ଷାରେ ଫେଲ୍ ହେବାକୁ ନେଇ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ। କଲେଜରେ ୧୮୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୮ ଜଣ ପାସ ହୋଇଛନ୍ତି। ଯାହାକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ଅଧ୍ୟାପକ ଜାଣି ଶୁଣି ଫେଲ କରିଥିବା ଅଭିଯୋଗ କରିଛନ୍ତି।

ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଗୁରୁବାର ପାଳଲହଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉପଜିଲ୍ଲାପାଳ ତଥା ମାଲ୍ୟଗିରି ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ରବୀନ୍ଦ୍ର କୁମାର ପଟେଲଙ୍କୁ ଅଧ୍ୟକ୍ଷ ଏବଂ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଇଂରାଜୀରେ ଇଣ୍ଟରନାଲ ପରୀକ୍ଷା କରାଯାଇନି। କିନ୍ତୁ ପିଲାଙ୍କୁ ଫେଲ୍ କରାଯାଇଛି ବୋଲି ଛାତ୍ରଛାତ୍ରୀ ଅଭିଯୋଗରେ ଦର୍ଶାଇଛନ୍ତି।

ପରେ ଉପଜିଲ୍ଲାପାଳ କଲେଜ ଅଧ୍ୟକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବୈଠକ ଡାକିଥିଲେ। ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ମାଲ୍ୟାଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ହରେକୃଷ୍ଣ ପ୍ରଧାନ ସୂଚନା ଦେଇଥିବା ଜଣାଯାଇଛି।