ଘଟଣା ଓ ଦୁର୍ଘଟଣା

ବାଇକ୍ ଚୋରୀକୁ ନେଇ ମାଡ଼ପିଟ,୨ ଗିରଫ

By Swagatika Samantray

May 24, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ବଜାରରେ ଏକ ବାଇକ୍ ଚୋରିକୁ ନେଇ ମାଡ଼ପିଟ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ବନ୍ତଳାର ଅଚ୍ୟୁତାନନ୍ଦ ନାଏକଙ୍କ ଏକ ବାଇକ୍ ଚାରି ହୋଇଥିଲା। ଏହି ବାଇକ୍ ତାଙ୍କ ଦାଦା ପୁଅ ସୌମ୍ୟ ରଞ୍ଜନ ନାଏକ ଚୋରି କରିଥିବା ସନ୍ଦେହ କରୁଥିଲେ। ଏହାକୁ ନେଇ ଅଚ୍ୟୁତଙ୍କ ରାଗ ଥିଲା। ତେବେ ସୋମବାର ବନ୍ତଳା ଚନ୍ଦନଯାତ୍ରା ଦେଖିବାକୁ ସୌମ୍ୟ, ତାଙ୍କ ବାପା ମଙ୍ଗୁଳୁ, ମାମୁ ଅଜୟ ଓ ମା’ ସରସ୍ବତୀ ଆସିଥିଲେ। ଏହି ସମୟରେ ସେଠାରେ ଅଚ୍ୟୁତାନନ୍ଦ ସୌମ୍ୟଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜକରି ବାଡ଼େଇଥିଲେ। ଏହା ଦେଖି ପାଖରେ ଥିବା ମାମୁ ଅଜୟ ଅଚ୍ୟୁତାନନ୍ଦଙ୍କୁ ବୁଝାସୁଝା କରାଇଥିଲେ। କିନ୍ତୁ ରାଗରେ ଥିବା ଅଚ୍ୟୁତାନନ୍ଦ ବନ୍ତଳା ବଜାରର ସାଙ୍ଗମାନଙ୍କୁ ଡ଼ାକିଥିଲେ। ସାଙ୍ଗମାନେ ସେଠାରେ ବିଭିନ୍ନ ମାରଣାସ୍ତ୍ର ଧରି ଜାତିଆଣ ମନ୍ତବ୍ୟ ଦେଇ ସୌମ୍ୟ ଓ ତାଙ୍କ ପରିବାର ସଦସ୍ୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ସୌମ୍ୟ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ସୌମ୍ୟଙ୍କ ବାପା ମଙ୍ଗୁଳୁ ଥାନାରେ ମଙ୍ଗଳବାର ସକାଳେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଚ୍ୟୁତାନନ୍ଦ ନାଏକ ଓ ତାଙ୍କ ସାଙ୍ଗ ସୂର୍ଯ୍ୟକାନ୍ତ ସାହୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ।