ମୁଖ୍ୟ ଖବର

ଗଞ୍ଜେଇ ଚାଲାଣ ବେଳେ ୨ ଗିରଫ, ୨୧ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ

By Angul TV Bureau

November 18, 2026

ଅନୁଗୋଳ: ଅନୁଗୋଳ ପୋଲିସ ଗଞ୍ଜେଇ ଚାଲାଣ ବେଳେ ଦୁଇ ଜଣଙ୍କୁ ଗିରଫ କରିବା ସହ ୨୧ କେଜି ୩୫୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାର ତଦନ୍ତ ବେଳେ ସହରରେ ଘଟିଥିବା ଏକାଧିକ ସୁନା ଚେନ୍ ଲୁଟ୍ ଘଟଣାର ମଧ୍ୟ ପର୍ଦ୍ଦାଫାସ ହୋଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗୁପ୍ତ ସୂଚନା ଆଧାରରେ କେନ୍ଦ୍ରୀୟ ବିଦ୍ୟାଳୟ-୨ ନିକଟରେ ଚଢ଼ାଉ ବେଳେ ପଲସର ବାଇକ୍‌ରେ ଅନୁଗୋଳ ରେଳଷ୍ଟେସନ ଯାଉଥିବା ଜାହିର ହୁସେନ ଓରଫ୍ ଆବୁ ତାଲିବ (୨୫) ଏବଂ ମହମ୍ମଦ ଅଲି ଓରଫ୍ ତାଲିବ ସୟଦ (୨୪)ଙ୍କୁ ପୋଲିସ ଗିରଫ କରିଥିଲା। ସେମାନଙ୍କ ନିକଟରେ ଥିବା ଦୁଇଟି ବ୍ୟାଗ୍‌ରୁ ଗଞ୍ଜେଇ ଜବତ ହୋଇଥିଲା। ଏନେଇ ଅନୁଗୋଳ ଟାଉନ୍ ଥାନାରେ କେସ୍ ନଂ ୧୦୫୯/୨୦୨୬ରେ ଏନ୍‌ଡିପିଏସ୍ ଆଇନରେ ମାମଲା ରୁଜୁ ହୋଇଛି।

ତଦନ୍ତରୁ ଅଭିଯୁକ୍ତମାନେ ସୌଭାଗ୍ୟନଗର, କୁରୁଡୋଲ ରୋଡ୍ ଓ ସିମିଳିପଡ଼ା ଜେନା କଲୋନୀ ଅଞ୍ଚଳରେ ସୁନା ଚେନ୍ ଲୁଟ୍ ଏବଂ ସର୍କିଟ୍ ଛକ ନିକଟରେ ଲୁଟ୍ ଉଦ୍ୟମରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଏଥିରେ ସମୃକ୍ତ ଲୁଟ୍ ସୁନା ଚେନ୍ କିଣିଥିବା ଅଭିଯୋଗରେ ଯାଜପୁର ରୋଡ୍ ଅଞ୍ଚଳର ବସୁ ଅଲି (୪୬)ଙ୍କୁ ମଧ୍ୟ ପୋଲିସ ଗିରଫ କରି ଦୁଇଟି ଚୋରି ସୁନା ଚେନ୍ ଜବତ କରିଛି।

ଏହି ଅଭିଯାନରେ ମୋଟ ତିନୋଟି ସୁନା ଚେନ୍, ଗୋଟିଏ ପଲସର-୨୨୦ ବାଇକ୍ ଓ ମୋବାଇଲ୍ ଫୋନ୍ ଜବତ ହୋଇଛି। ଏସ୍‌ଆଇ ଆଦିତ୍ୟ କୁମାର ପଟ୍ଟନାୟକ, ଏଏସ୍‌ଆଇ ଜିତୁ ସାମଲଙ୍କ ସମେତ ପୋଲିସ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ। ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି।