ଅନୁଗୁଳ: ଲାଞ୍ଚ ନେଇ ବନ୍ଧା ହେଲେ ସରକାରୀ ବାବୁ। ଆଜି ଅନୁଗୁଳ ସିଭିଲ୍ ସପ୍ଲାଏଜ୍ ଅଫିସର (ସିଏସ୍ଓ)ଙ୍କ କାର୍ଯ୍ୟାଳୟର ଦୁଇ ଜଣ ଜୁନିଅର ଆକାଉଣ୍ଟାଣ୍ଟ ୫୦,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ଫର୍ଟିଫାଏଡ୍ ରାଇସ୍ କର୍ଣ୍ଣାଲ୍ସ (ଏଫଆରକେ) ସମ୍ପର୍କିତ ୬୦ଲକ୍ଷ ଟଙ୍କାରୁ ଅଧିକ ବିଲ୍ ରାଶି ପ୍ରଦାନ କରିବା ବଦଳରେ ଏକ ରାଇସ୍ ମିଲ୍ର ପରିଚାଳକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ବାନ୍ଧିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଜୁନିଅର ଆକାଉଣ୍ଟାଣ୍ଟ ରାଜନାରାୟଣ ସାହୁ ଏବଂ ଜିତେନ ପଟ୍ଟନାୟକ।
ସୂଚନା ଅନୁଯାୟୀ, ଗତ ମାସେ ଧରି କ୍ରିଷ୍ଣା ରାଇସ୍ ମିଲ୍ର ପରିଚାଳକ ଜୁନିଅର ଆକାଉଣ୍ଟାଣ୍ଟ ରାଜନାରାୟଣ ସାହୁ ଏବଂ ଜିତେନ ପଟ୍ଟନାୟକଙ୍କୁ ଫର୍ଟିଫାଏଡ୍ ରାଇସ୍ କର୍ଣ୍ଣାଲ୍ସ ବକେୟା ଟଙ୍କା ପ୍ରଦାନ କରିବାକୁ ଅନୁରୋଧ କରି ଆସୁଥିଲେ। କିନ୍ତୁ ଉଭୟ ତାଙ୍କୁ ୫୦,୦୦୦ ଟଙ୍କା ଲାଞ୍ଚ ନ ଦେଲେ ଏଫ୍ଆରକେ ରାଶି ପ୍ରଦାନ କରିବାକୁ ମନା କରି ଦେଇଥିଲେ। ଏଣୁ ବାଧ୍ୟ ହୋଇ ମ୍ୟାନେଜର ଉଭୟ ଆକାଉଣ୍ଟାଣ୍ଟଙ୍କ ବିରୋଧରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ଵାରସ୍ଥ ହୋଇଥିଲେ। ଆଜି ଅଭିଯୋଗକାରୀଙ୍କଠାରୁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଛନ୍ତି।