ମୁଖ୍ୟ ଖବର

ଟ୍ରକ ଧକ୍କାରେ ୨ ଶ୍ରମିକଙ୍କ ମୃତ୍ୟୁ: ୧୨ ଘଣ୍ଟାର ଆନ୍ଦୋଳନ ପରେ ୧୫ ଲକ୍ଷ ଲେଖାଏଁ କ୍ଷତିପୂରଣ ଓ ଚାକିରି ପ୍ରତିଶ୍ରୁତି

By Angul TV Bureau

February 08, 2026

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟି ଦୁଇଜଣ ଶ୍ରମିକଙ୍କ ଜୀବନ ଯାଇଛି। ମୃତକ ଦ୍ୱୟ ହେଲେ ତାଳଚେର ନିର୍ବାଚନ ମଣ୍ଡଳୀ କମରେଇ ପଞ୍ଚାୟତ ଦଣ୍ଡସିଂହା ଗ୍ରାମର ବୁଲୁ ପରିଡ଼ା ଏବଂ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ନତଡ଼ା ଗ୍ରାମର ବିରେନ୍ଦ୍ର ସାହୁ।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଉଭୟ ନିଶା ସ୍ଥିତ  କମ୍ପାନୀକୁ ନିଜ ମୋଟରସାଇକେଲରେ ଡିଉଟି ଯାଉଥିବା ସମୟରେ, ପୁରିଆବାହାଳ ସାହି ନିକଟରେ ଏକ କୋଇଲା ବୋଝେଇ ଟ୍ରକ ସେମାନଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପାଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଘଟଣାସ୍ଥଳରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ସହ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ।

ଦୀର୍ଘ ୧୨ ଘଣ୍ଟାର ଆଲୋଚନା ପରେ, କମ୍ପାନୀ କର୍ତ୍ତୃପକ୍ଷ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ନଗଦ ଅର୍ଥ ପ୍ରଦାନ କରିଛନ୍ତି। ଏହାସହ ପରିବାରର ଜଣକୁ ନିଯୁକ୍ତି ଏବଂ ଆଇନଗତ କାଗଜପତ୍ର ଦାଖଲ ପରେ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇଦେବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ କମରେଇ ସରପଞ୍ଚ ସୁଭାସିନି ବେହେରା, ନତଡ଼ା ସରପଞ୍ଚଙ୍କ ସମେତ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।