ଅନୁଗୁଳ: ଅନୁଗୁଳ ଟାଉନ୍ ପୁଲିସ ଗୁରୁବାର ୨ ଜଣ ଚନ୍ଦନକାଠ ଚୋରଙ୍କୁ ଗିରଫ କରିଛି । ସୂଚନା ମୁତାବକ, ସୋମବାର ଅନୁଗୁଳ ଡିଆଇଜିଙ୍କ ସରକାରୀ ବାସଭବନରେ ଥିବା ଏକ ଚନ୍ଦନ ଗଛକୁ କାଟି ଚୋରି ଉଦ୍ୟମ ହୋଇଥିଲା। ଏ ନେଇ ଜଣାପଡ଼ିବା ପରେ ପୁଲିସ ଏକ ମାମଲା ରୁଜୁକରି ତନାଘନା ଚଳାଇ ସଦର ଥାନା ଅନ୍ତର୍ଗତ ରନ୍ତଲୋଇରେ ରହୁଥିବା ଜାଜାବର ବସ୍ତିରେ ଚଢ଼ାଉକରିଥିଲା। ସେଠାରୁ ୧୧ ଖଣ୍ଡ ଚନ୍ଦନ କାଠ, ୩ଟି ବାଇକ ସହ ଭିଡ଼େ ପାର୍ଦ୍ଧି(୨୨) ଓ ଶେଖର ପାର୍ଦ୍ଧି(୨୦)ଙ୍କୁ ଗିରଫ କରିଛି। ସେମାନଙ୍କ ସହ ସାମିଲ ଥିବା ଅନ୍ୟ ୨ ଜଣ ଫେରାର ହୋଇଯାଇଛନ୍ତି। ଜବତ ହୋଇଥିବା ଚନ୍ଦନ କାଠ ସେମାନେ ବଅଁରପାଳ ଥାନା ଅଞ୍ଚଳରୁ ଚୋରି କରିଥିବା ସ୍ବିକାର କରିଛନ୍ତି।