ମୁଖ୍ୟ ଖବର

୮ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ୨ ଶିକ୍ଷକଙ୍କୁ ୫ ବର୍ଷ କାରାଦଣ୍ଡ

By Swagatika Samantray

March 25, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳର ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ୨ ଶିକ୍ଷକଙ୍କୁ ଶନିବାର ଅନୁଗୁଳ ଆଡହକ୍ ଫାଷ୍ଟ ଟ୍ରାକ୍ କୋର୍ଟରେ ୫ ବର୍ଷ ସଶ୍ରମ କାରାଦଣ୍ଡସହ ୫ ହଜାର ଟଙ୍କା ଜରିମାନା ଦେବାକୁ ଦଣ୍ଡାଦେଶ ଶୁଣାଇଛନ୍ତି।

ସୂଚନା ଅନୁଯୟୀ, ୨୦୧୩ ମାର୍ଚ୍ଚ ୩୦ ତାରିଖରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପାଠପଢ଼ାପରେ ଘରକୁ ବାହାରିବା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ତ୍ତିକେଶ୍ବର ଭୋଇ(୫୦) ଓ ସହକାରୀ ଶିକ୍ଷକ ବାପୁଜୀ ବେଉରା(୩୫) ତାଙ୍କୁ ଯୋରଜବର ଅଟକାଇ ଏକ ଶ୍ରେଣୀଗୃହକୁ ନେଇଥିଲେ। ସେଠାରେ କାର୍ତ୍ତିକ ଶ୍ରେଣୀଗୃହ ଭିତରେ ରହିଥିବା ବେଳେ ବାପୁଜୀ ବାହାରେ କବାଟ ବନ୍ଦକରି ରହିଥିଲେ। ଶ୍ରେଣୀ ଗୃହ ଭିତରେ କାର୍ତ୍ତିକ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଫଳରେ ଛାତ୍ରୀ ଯୋରରେ ପାଟିକରିଥିଲେ। ପାଟି ଶୁଣି ସେହି ବିଦ୍ୟାଳୟରେ ପାଠପଢ଼ୁଥିବା ଛାତ୍ରୀଙ୍କ ସାନ ଭାଇ ଭଉଣୀ ସେଠାରେ ପହଞ୍ଚି ସବୁ ଦେଖି ଘରକୁଯାଇ କହିଥିଲେ। ଏହା ଶୁଣି ଛାତ୍ରୀଙ୍କ ମା’ ଅନ୍ୟ କିଛି ଗ୍ରାମବାସୀଙ୍କସହ ବିଦ୍ୟାଳୟରେ ପହଞ୍ଚିଥିଲେ। ଗ୍ରାମବାସୀଙ୍କୁ ଦେଖିବାପରେ ବାହାରେ କବାଟ ବନ୍ଦକରି ଠିଆ ହୋଇଥିବା ବାପୁଜୀ କବାଟ ଖୋଲି କାର୍ତ୍ତିକଙ୍କୁ ବାହାରକୁ ପଳାଇଯିବାକୁ ସୁଯୋଗ ଦେଇଥିଲେ। କାର୍ତ୍ତିକ ବାହାରିବାପରେ ବାପୁଜୀ ଶ୍ରେଣୀଗୃହକୁ ବାହାରୁ ତାଲା ପକାଇ ଦେଇଥିଲେ। ଛାତ୍ରୀଙ୍କ ମା’ ଓ ଗ୍ରାମବାସୀ ଆସି ତାଲା ଭାଙ୍ଗି ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ।

ଏ ନେଇ ଛାତ୍ରୀଙ୍କ ପରିବାର ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ୨ ଶିକ୍ଷଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା।

ଏହି ମାମଲାରେ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ପିଆର ବହିଦାର ୭ ଜଣ ସାକ୍ଷୀ ଓ ୭ଟି ଦଲିଲକୁ ଆଧାରକରି ୨ ଅଭିଯୁକ୍ତ ଶିକ୍ଷକଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ ଶନିବାର ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାକୁ ସ୍ବତନ୍ତ୍ର ପିପି ସୁଶାନ୍ତ କୁମାର ମିଶ୍ର ପରିଚାଳନା କରିଥିଲେ।