ଅନ୍ୟାନ୍ୟ

ନଭେମ୍ବର ୨୮ରୁ ପାଳିତ ହେବ ପୁରୁଷ ବନ୍ଧ୍ୟାକରଣ ପକ୍ଷ, ବନ୍ଧ୍ୟାକରଣ କଲେ ମିଳିବ ୨ ହଜାର ଟଙ୍କା

By Angul TV Bureau

November 26, 2022

ଅନୁଗୁଳ: ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ. ତ୍ରିଲୋଚନ ପ୍ରଧାନ ଅଧ୍ୟକ୍ଷତା କରି ପୁରୁଷ ବନ୍ଧ୍ୟାକରଣର ଉଦ୍ଦେଶ୍ୟ ଓ ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ଦିଲ୍ଲୀପ କୁମାର ପଟ୍ଟନାୟକ ଜନସଂଖ୍ୟା ବୃଦ୍ଧି ରୋକିବାରେ ପୁରୁଷ ବନ୍ଧ୍ୟାକରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପୁରୁଷଙ୍କ ନିମନ୍ତେ ଏନ୍.ଏସ୍.ଭି ଏକ ସହଜ, ଫଳପ୍ରଦ ଓ ସୁରକ୍ଷିତ ଜନ୍ମ ନିରୋଧ ଉପାୟ ହୋଇଥିବାରୁ ଏହି ପଦ୍ଧତି ଆପଣାଇବାକୁ ଜନସାଧାରଣଙ୍କୁ ସଚେତନ କରାଇବା ଆବଶ୍ୟକ ବୋଲି ଡ. ପଟ୍ଟନାୟକ ପ୍ରକାଶ କରିଥିଲେ। ପୁରୁଷ ବନ୍ଧ୍ୟାକରଣ କରୁଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୨ ହଜାର ଟଙ୍କା ପ୍ରୋତ୍ସାହନ ରାଶି ରଖାଯାଇଛି। ଚଳିତ ମାସ ୨୮ ତାରିଖରୁ ଡିସେମ୍ବର ୪ ତାରିଖ ମଧ୍ୟରେ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ କରାଯିବ। ବୈଠକରେ ଆଶା କର୍ମୀ, ପାରାମେଡିକାଲ ଷ୍ଟାଫ୍ ଓ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।