ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଧାଉରପାଲ୍ଲୀ ଗାଁରେ ଶ୍ଵାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଜା ଗାଁର ଆର୍ତ୍ତତ୍ରାଣ ମିର୍ଦ୍ଧା (୪୬) ଓ ବାମୁର ପଞ୍ଚାୟତ ରେଙ୍ଗାଲ ବେଡ଼ା ଗ୍ରାମର ରୀନା ମହାର (୩୧)।
ସୂଚନା ମୁତାବକ, ଧାଉରାପାଲି ଗାଁର ଜଣେ ଶିକ୍ଷକଙ୍କ ଘରପଛ ପଟେ ନୂତନ ପାଇଖାନା ଟାଙ୍କିର ସେଣ୍ଟରିଂ ଖୋଲା ହେଉଥିଲା। ସେଣ୍ଟରିଂ ଖୋଲିବାକୁ ଜଣେ ମହିଳା ଶ୍ରମିକ ଓ ଜଣେ ପୁରୁଷ ଶ୍ରମିକ ଟାଙ୍କି ଭିତରକୁ ଯାଇଥିଲେ। କାର୍ଯ୍ୟ କରୁଥିବା ସମୟରେ ଅଣନିଃଶ୍ୱାସ ଲାଗିବାରୁ ସେମାନେ ଚିତ୍କାର କରିଥିଲେ ଓ ଭିତରେ ଅଚେତ ହୋଇ ଯାଇଥିଲେ। ଘଟଣାସ୍ଥଳରୁ ଅନ୍ୟ ଶ୍ରମିକମାନେ ଆଖପାଖ ଲୋକଙ୍କୁ ଡାକିବା ସହ କିଶୋରନଗର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସମସ୍ତେ ମିଶି ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି କିଶୋରନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ଦୁଇ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କିଶୋରନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।