ଅନୁଗୁଳ: ଗଣେଶ ପୂଜା ପାଇଁ ଚାନ୍ଦା ମାଗିବା ସହ ଗାଳି ଗୁଲଜ ଓ ମାରପିଟ କରିବା ଅଭିଯୋଗରେ ସୋମବାର ତାଳଚେର ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ମାନେ ହେଲେ ୱାର୍ଡ ନମ୍ବର ୧୧ର ଜଗନ ନାଏକ ଓ ଚାଉଳିଆକୁତ୍ତାର ସୁଶୀଲ ନାଏକ। ଉଭୟଙ୍କ ନାଁରେ ତାଳଚେର ଥାନାରେ ୩ ଟି ଲେଖାଏଁ ମାମଲା ରହିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ବଅଁରପାଳ ଥାନା ଅନ୍ତର୍ଗତ ତେଣ୍ଟୋଇ ଗ୍ରାମର ସତ୍ୟ ପ୍ରକାଶ ନାଏକ ମୂର୍ତ୍ତି କିଣିବାକୁ ତାଳଚେର ଆସିଥିଲେ। ସେ ବସଷ୍ଟାଣ୍ଡ ପାଖରେ ଛିଡା ହେଇଥିବା ବେଳେ ଜଗନ ଓ ସୁଶୀଲ ତାଙ୍କୁ ପୂଜା ପାଇଁ ଚାନ୍ଦା ମାଗିଥିଲେ। ମାତ୍ର ସେ ଚାନ୍ଦା ଦେବାକୁ ମନା କରିବାରୁ ତାଙ୍କୁ ଉଭୟ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ବାଡ଼ିଆ ପିଟା କରିଥିଲେ। ଏ ନେଇ ସତ୍ୟ ତାଳଚେର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତୁରନ୍ତ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି।