Law Judge Gavel And Legality Symbol

ମୁଖ୍ୟ ଖବର

ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ଜରିମାନା

By Angul TV Bureau

December 22, 2023

ଅନୁଗୁଳ: ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ ଓ ଦୁଷ୍କର୍ମ କରିବା ମାମଲାରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍‌ସୋ ଜଜ୍ ରୁଦ୍ରପ୍ରସାଦ ମହାପାତ୍ର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ତାଳଚେର ଥାନା ବାସନାଳୀ ଗ୍ରାମର ବିଶ୍ୱଜିତ୍ ସାମଲ (୨୫)ଙ୍କୁ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୩ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୧ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ହୋଇଛି।

ସୂଚନା ମୁତାବକ, ତାଳଚେର ଅଞ୍ଚଳର ଜଣେ ୧୫ ବର୍ଷୀୟା ନାବାଳିକା ଅନୁଗୁଳ ସହରର ଏକ କଲେଜରେ ପଢ଼ୁଥିଲେ। ଏହି ସମୟରେ ତାଙ୍କୁ ପ୍ରେମ ଜାଲରେ ଫସାଇ ଅଭିଯୁକ୍ତ ବିଶ୍ବଜିତ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ନାବାଳିକା ଗର୍ଭବତୀ ହୋଇଥିଲେ। ଗତ ୨୦୧୯ ମସିହା ନଭେମ୍ବର ୭ ତାରିଖରେ ବିଶ୍ଵଜିତ୍ ନାବାଳିକାଙ୍କୁ ନେଇ ଫେରାର୍ ହୋଇଯାଇଥିଲେ। ତାଙ୍କୁ ନେଇ ଟିକରପଡ଼ା ଅଞ୍ଚଳରେ ଜଣେ ସମ୍ପର୍କୀୟଙ୍କ ଘରେ ରଖିଥିଲେ। ଏନେଇ ନାବାଳିକାଙ୍କ ବାପା ତାଳଚେର ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ନାବାଳିକାକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ବିଶ୍ଵଜିତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାର ଶୁଣାଣି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍‌ସୋ ଅଦାଲତରେ ଚାଲିଥିଲା। ୧୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଅଭିଯୁକ୍ତ ବିଶ୍ଵଜିତ୍‌କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।