ଅନୁଗୁଳ : ଅନୁଗୁଳ ଜିଲ୍ଲା ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟରେ ଶନିବାର ଜଣେ ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ପ୍ରକାଶ ଯେ, ୨୦୧୮ ଜୁନ ୧୮ ତାରିଖରେ ଅନୁଗୁଳ ଥାନା ଅଞ୍ଚଳର ଜଣେ ନାବାଳିକା ଅଭିଯୋଗ କରିଥିଲେ ଯେ, ବିବାହର ପ୍ରତିଶ୍ରୁତି ଦେଇ ଗତ ୨ ମାସ ହେଲା ରନ୍ତଲେଇ ଗାଁର ପ୍ରଭାତ ନାଏକ(୨୫) ବାରମ୍ବାର ଦୁଷ୍କର୍ମ କରିଛି । ଏ ନେଇ କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏଥିସହ ୧୮ ତାରିଖରେ ପ୍ରଭାତ ଗାଁରେ ଲୋକମାନଙ୍କୁ କହିଥିଲେ ଯେ ନାବାଳିକା ତାଙ୍କ ଜୀବନ ମାଟି କରିଦେଇଛି।
ଅଭିଯୋଗ ପାଇ ପୁଲିସ ଥାନା କେସ ନଂ ୪୧୫/୧୮ରେ ଦଫା ୩୭୬(୨)(ଏନ), ୫୦୬ ଓ ପକ୍ସୋ ଆଇନର ଧାରା ୪ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତକରି ଅଭିଯୁକ୍ତପ୍ରଭାତଙ୍କୁ ୨୦୧୮ ଜୁନ ୨୨ ତାରିଖରେ ଗିରଫକରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ଅନୁଗୁଳ ଜିଲ୍ଲା ସ୍ଵତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ପିଆର ବହିଦାର ୨୦ ଜଣ ସାକ୍ଷୀଙ୍କ ବୟାନ ଓ ୧୯ ଦଲିଲକୁ ଭିତ୍ତିକରି ଶନିବାର ପ୍ରଭାତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ ଦଣ୍ଡାଦେଶ ଶୁଣାଇଛନ୍ତି । ଜୋରିମାନା ଅର୍ଥ ଆଦାୟ ହେଲେ ଏହି ଅର୍ଥ ପୀଡ଼ିତାଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ଏହି ମାମଲାକୁ ସ୍ଵତନ୍ତ୍ର ପିପି ସୁଶାନ୍ତ ମିଶ୍ର ପରିଚାଳନା କରୁଥିଲେ।