ଭୁବନେଶ୍ୱର,୩୦/୧୧: ରାଜ୍ୟର ରୋଗୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ନୂଆବର୍ଷ ପୂର୍ବରୁ ରାଜ୍ୟରେ ଆଉ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ ଗଡିବାର ଯୋଜନା ରହିଛି। ଏହି ଆମ୍ବୁଲାନ୍ସଗୁଡ଼ିକ ଆସି ସାରିଛି ଏବଂ ଏବେ ଏଗୁଡ଼ିକର ବ୍ରାଣ୍ଡିଂ ଚାଲିଛି ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଚଳିତ ୧୦୮ ଆମ୍ବୁଲାନ୍ସ ସେବାର କିଛି ଗାଡ଼ିର ଅବଧି ଶେଷ ହେବାକୁ ଯାଉଛି। ନିର୍ଦ୍ଦେଶନାମା ଅନୁସାରେ, ୫ ବର୍ଷ ପୂରଣ ହୋଇଥିବା ୧୧୨ ଗାଡ଼ିର ଅବଧି ଆସନ୍ତା ୨୦୨୬ ଜାନୁଆରୀ ମଧ୍ୟରେ ଶେଷ ହେବ। ତେଣୁ ଜାତୀୟ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ନୂଆ ଆମ୍ବୁଲାନ୍ସ ଯୋଗାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ପୂର୍ବ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ୧୦୮ ଆମ୍ବୁଲାନ୍ସ ସେବା ପ୍ରାୟ ବର୍ଷେ ହେବ ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ରୋଗୀ ନେବା ସମୟରେ ଅସୁବିଧା ଘଟଣା ମାନ ମଝିରେ ମଝିରେ ନଜରକୁ ଆସୁଛି। ବର୍ଷେ ହେବ ରାଜ୍ୟରେ ୪୨୦ ଟି ୧୦୮ ଆମ୍ବୁଲାନ୍ସ ସ୍ଥିତି ବେହାଲ ହୋଇପଡିଛି। ଏହି ସେବାରେ ଆସନ୍ତା ମାସରେ ୨୦୦ଟି ଆମ୍ବୁଲାନ୍ସ ସାମିଲ ହେବ ଏବଂ ପରବର୍ତ୍ତୀ ସମୟରେ ଅବଧି ଶେଷ ହେଉଥିବା ଆମ୍ବୁଲାନ୍ସ ସ୍ଥାନରେ ନୂଆ ଗାଡ଼ି ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।