ଅନୁଗୋଳ: ଚଳିତ ବର୍ଷ ୮୦ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସକୁ ମହାସମାରୋହରେ ପାଳନ ପାଇଁ ଆଜି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।
ନିଷ୍ପତ୍ତି ଅନୁଯାୟୀ, ସ୍ବାଧୀନତା ଦିବସର ପ୍ରତ୍ୟୁଷରୁ ଡାକବାଜୀ ଯନ୍ତ୍ରରେ ରାମଧୁନ ପରିବେଷଣ ଏବଂ ସକାଳ ୬ଟାରେ ପ୍ରଭାତ ଫେରୀ ଅନୁଷ୍ଠିତ ହେବ। ସମସ୍ତ ସରକାରୀ ଓ ବେସରକାରୀ କୋଠାବାଡିରେ ସକାଳ ୭:୩୦ ଟାରେ ଜାତୀୟ ପତାକା ଉତ୍ତୋଳନ କରାଯିବ। ପୂର୍ବାହ୍ନ ୯:୧୫ ମିନିଟ୍ରେ ପିଟିସି ପଡିଆରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ।
ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ବକ୍ତୃତା, ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ମାଟ୍ରିକ ଓ ସିବିଏସ୍ଇ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଅଗଷ୍ଟ ୧୧ ରୁ ୧୩ ପର୍ଯ୍ୟନ୍ତ ପିଟିସି ପଡିଆରେ ଅଭ୍ୟାସ ପରେଡ ହେବ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସ୍ଥିର ହୋଇଛି। ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଜୀବ ଲୋଚନ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ।