ଭୁବନେଶ୍ୱର: ନୂଆ ମୁହଁ ଖୋଜୁଛି ବିଜେପି। ଦଳରେ ନେତୃତ୍ବ ନେବା ଭଳି ଜଣେ ନେତାଙ୍କୁ ଏବେ ଭାରତୀୟ ଜନତା ପାର୍ଟ ସନ୍ଧାନ କରୁଛି। ୨୦୨୯ରେ ବିଜେପିର ପ୍ରଧାନମନ୍ତ୍ରୀ ଚେହେରା ନରେନ୍ଦ୍ର ମୋଦି ନା ଆଉ କିଏ ହେବେ, ସେ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହେଲାଣି। ତେବେ ମୋଦିଙ୍କ ସ୍ଥାନରେ ଆଉ କିଏ ପ୍ରଧାନମନ୍ତ୍ରୀ ଚେହେରା ହୋଇପାରନ୍ତି ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୨୪୦ ଆସନ ପାଇଛି, ଯାହା ସବୁ ସର୍ଭେ ଓ ବିଜେପିର ଆକଳନ ଠାରୁ ସଂଖ୍ୟା ବହୁତ କମ୍। ଏହାରି ଭିତରେ ୨୦୨୯ ଲୋକସଭା ନିର୍ବାଚନରେ ବିଜେପିର ନେତୃତ୍ୱକୁ ନେଇ ଏବେ ଠାରୁ ମୃଦୁ ଆଲୋଚନା ଆରମ୍ଭ ହେଲାଣି। ଆଉ ମହାରାଷ୍ଟ୍ର ନିର୍ବାଚନ ପରେ ଏହି ଆଲୋଚନା ଧୀରେ ଧୀରେ ବଢ଼ିବାରେ ଲାଗିଛି। କାରଣ ମହାରାଷ୍ଟ୍ର ନିର୍ବାଚନ ବିଜେପି ପାଇଁ ଖୁବ୍ ସମ୍ମାନର ବିଷୟ ଥିଲା। ସମସ୍ତେ ଭାବୁଥିଲେ ଇଣ୍ଡିଆ ମେଣ୍ଟ ଲୋକସଭା ନିର୍ବାଚନରେ ଯେଉଁଭଳି ଭାବେ ଚମକାଇଲା ଭଳି ପ୍ରଦର୍ଶନ କରିଥିଲା, ତାହା ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରତିଫଳନ ହେବ।
ହେଲେ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ବିଜେପି ମହାରାଷ୍ଟ୍ରରେ ଯେଉଁଭଳି ପ୍ରଦର୍ଶନ କଲା ତାହା ସମସ୍ତଙ୍କୁ ଚକିତ କରାଇଛି। ନିକଟରେ ନାଗପୁରରେ ମୁଖ୍ୟମନ୍ତ୍ରୀ ଭାବେ ଫଡନାଭିସଙ୍କୁ ଜୋରଦାର ଭବ୍ୟ ସ୍ୱାଗତ କରାଯାଇଥିଲା। ଫଡନାଭିସଙ୍କ ନେତୃତ୍ୱଙ୍କୁ ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି। ଶପଥ ଗ୍ରହଣ ସମୟରେ ଆଜାଦ ମୈଦାନରେ ମଧ୍ୟ ଫଡନାଭିସଙ୍କ ସମର୍ଥନରେ ଲୋକଙ୍କ ମଧ୍ୟରେ ଖବ୍ ଉତ୍ସାହ ଦେଖାଯାଇଥିଲା। ଏଥିରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ ଫଡନାଭିସ ଆଗାମୀ ଦିନରେ ଜାତୀୟ ରାଜନୀତିରେ ପାଦ ଦେଇପାରନ୍ତି।
ଦେବେନ୍ଦ୍ର ଫଡନାଭିସଙ୍କୁ ଆରଏସଏସର ଅଧିକ ସମର୍ଥନ ରହିଛି। ଏହାସହ ଫଡନାଭିସ ମଧ୍ୟ ହିନ୍ଦୁତ୍ୱ ଉପରେ ଅଧିକ ଜୋର ଦେଇଥାନ୍ତି। ୨୦୨୪ରେ ବିଜେପିର ବିପର୍ଯ୍ୟୟ ଏବଂ ପରେ ମହାରାଷ୍ଟ୍ରରେ ବିପୁଳ ବିଜୟ ଜାତୀୟ ରାଜନୀତିରେ ଫଡନାଭିସଙ୍କ ସ୍ଥିତିକୁ ଆହୁରି ମଜଭୁତ କରିଛି। ଏଭଳି ସ୍ଥିତିରେ ୨୦୨୯ ନିର୍ବାଚନରେ ଜାତୀୟ ସ୍ତରରେ ଫଡନାଭିସଙ୍କ ଭୂମିକା ଉପରେ ସମସ୍ତଙ୍କର ନଜର ରହିଛି।