ଅନୁଗୁଳ: ପରିବେଶ ପ୍ରଦୂଷଣ ରୋକିବା ସହ ବ୍ୟାଟେରୀ ଚାଳିତ ଯାନବାହନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଅନୁଗୁଳ ସହରରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ସହରର ବିଭିନ୍ନ ପ୍ରମୁଖ ସ୍ଥାନରେ ଖୁବଶୀଘ୍ର ୨୦ରୁ ୨୫ଟି ଇଭି (ଇଲେକ୍ଟ୍ରିକ୍ ଭେଇକିଲ୍) ଫାଷ୍ଟ ଚାର୍ଜିଂ ଷ୍ଟେସନ ନିର୍ମାଣ ହେବାକୁ ଯାଉଛି। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL)ର ଏକ ଦୁଇ ଜଣିଆ ବିଶେଷଜ୍ଞ ଦଳ ଦୁଇ ଦିନିଆ ଅନୁଗୁଳ ଗସ୍ତରେ ଆସି ପହଞ୍ଚିଛନ୍ତି।
ସୂଚନା ଅନୁଯାୟୀ, ବର୍ତ୍ତମାନ ସମୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ଜିଲ୍ଲାରେ ଇଲେକ୍ଟ୍ରିକ୍ ସ୍କୁଟର ଓ ଚାରିଚକିଆ ଯାନର ଚାହିଦା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଚାର୍ଜିଂ ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି। ବଅଁରପାଳ ଠାରୁ ଆରମ୍ଭ କରି ବଡ଼କେରା ପର୍ଯ୍ୟନ୍ତ ଏବଂ ଅନୁଗୁଳ ସହରର ବିଭିନ୍ନ ଆଭ୍ୟନ୍ତରୀଣ ସ୍ଥାନରେ ଏହି ଷ୍ଟେସନ ଗୁଡ଼ିକ ସ୍ଥାପନ କରାଯିବ।
ଗୁରୁବାର ଅନୁଗୁଳରେ ପହଞ୍ଚିଥିବା ‘ବିଇଏଲ’ ପ୍ରତିନିଧି ଦଳ ଜିଲା ପରିବହନ କାର୍ଯ୍ୟାଳୟର ଅଧିକାରୀଙ୍କ ସହ ମିଶି ବିଭିନ୍ନ ସ୍ଥାନ ପରିଦର୍ଶନ କରୁଛନ୍ତି। ବୈଷୟିକ ଦୃଷ୍ଟିକୋଣରୁ ଉପଯୁକ୍ତ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯିବା ପରେ ଏହାର ରିପୋର୍ଟ ମଞ୍ଜୁରୀ ପାଇଁ ପଠାଯିବ। ଅନୁମୋଦନ ମିଳିବା ମାତ୍ରେ ସଂପୃକ୍ତ ସ୍ଥାନଗୁଡ଼ିକରେ ଚାର୍ଜିଂ ସେଣ୍ଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
ପ୍ରଶାସନର ଏହି ଯୋଜନା ଫଳରେ ଅନୁଗୁଳ ସହରରେ ଇଭି ବ୍ୟବହାରକାରୀଙ୍କୁ ଚାର୍ଜିଂ ପାଇଁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏହା ସହରକୁ ପ୍ରଦୂଷଣ ମୁକ୍ତ ରଖିବାରେ ମଧ୍ୟ ସହାୟକ ହେବ। ଜିଲ୍ଲା ପରିବହନ ବିଭାଗ ଏହି କ୍ଷେତ୍ରରେ ସମସ୍ତ ସହଯୋଗ ଯୋଗାଇ ଦେଉଥିବା ଜଣାପଡ଼ିଛି। ଅନୁଗୁଳ ସହରର ଏହି ରୂପାନ୍ତରଣ ଆଗାମୀ ଦିନରେ ସବୁଜ ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ଆଶା କରାଯାଉଛି।