ଛେଣ୍ଡିପଦା: ଆଜି ସ୍ଥାନୀୟ ଛେଣ୍ଡିପଦା ପଞ୍ଚାୟତ ସମିତିର ଦ୍ବିତୀୟ ସାଧାରଣ ବୈଠକ ବ୍ଲକ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁଙ୍କ ସଭାପତିତ୍ୱ କରିଥିବାବେଳେ ଛେଣ୍ଡିପଦା ବିଡିଓ ତ୍ରିବିକ୍ରମ କୁମରା, ବ୍ଲକ ଉପାଧ୍ୟକ୍ଷା ଝରଣା ସ୍ୱାଇଁ, ବିଧାୟକଙ୍କ ପ୍ରତିନିଧି ନାରାୟଣ ସାହୁ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଅଗସ୍ତୀ ବେହେରା, ସହକାରୀ ଯନ୍ତ୍ରୀ ରଞ୍ଜନ କୁମାର ସେଠୀ ଓ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏସ୍ ନୈବେଦ୍ୟ ଲଲାଟେନ୍ଦୁ ପ୍ରମୁଖ ଯୋଗ ଦେଇ ବୈଠକର ଶୁଭାରମ୍ଭ କରିଥିଲେ। ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ କରାଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ବିଶେଷ ଭାବେ ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରରେ ନିମ୍ନ ମାନର କାର୍ଯ୍ୟ, ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ଲାଇଟ ଓ ପାଣିର ସୁବିଧା, ମହିଳା ଶିଶୁ ବିକାଶ ପକ୍ଷରୁ କିପରି ବ୍ଲକରେ ଥିବା ୧୮ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ କରାଯିବ ଓ ଅଙ୍ଗନବାଡି କେନ୍ଦ୍ରରେ ସମସ୍ୟା ସମାଧାନ ପାଇଁ ଆଲୋଚନା କରାଯାଇଥିଲା। ବନବିଭାଗ -ଜରପଡା ବନାଞ୍ଚଳ ଓ ଛେଣ୍ଡିପଦା ବନାଞ୍ଚଳରେ ବନବିଭାଗ ପକ୍ଷରୁ ନିଆଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଅବଗତ କରାଯାଉ ନଥିବା ସହିତ ସମିତି ବୈଠକରେ ଦୁଇ ବନାଞ୍ଚଳ ଅଧିକାରୀ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ଜଙ୍ଗଲ କମୁଥିବା ନେଇ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ସାହୁ ଅସନ୍ତୋଷ ପ୍ରକାଶ କରିଥିଲେ।
ଏହା ପରେ ଛେଣ୍ଡିପଦା ବ୍ଲକକୁ ଆସୁଥିବା ସରକାରୀ ଅର୍ଥ ବିନିଯୋଗକୁ ନେଇ ଜନପ୍ରତିନିଧିଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। ବୈଠକରେ ଛେଣ୍ଡିପଦା ବ୍ଲକର ୩୪ଟି ପଞ୍ଚାୟତର ସମସ୍ତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଆଗତ ଅଭିଯୋଗକୁ ଗୁଡିକର ତ୍ୱରିତ ସମାଧାନ କରାଯିବା ସହିତ ମିଳିମିଶି କାର୍ଯ୍ୟ କଲେ ବ୍ଲକର ବିକାଶ ହୋଇପାରିବ ବୋଲି ବ୍ଲକ ଅଧ୍ୟକ୍ଷ ସୁମିତ୍ରା ସାହୁ ପ୍ରକାଶ କରିଥିଲେ। ଶେଷରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଏସ ନୈବେଦ୍ଯ ଲଲାଟେନ୍ଦୁ ଧନ୍ୟବାଦ ଅର୍ପଣ କରିଥିଲେ।