ଆଠମଲ୍ଲିକ : ଆଠମଲ୍ଲିକ ଥାନା ଦୁଡୁମ ଗାଁରେ ଯୌତୁକ ପାଇଁ ବଧୂ ହତ୍ୟା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଲକ୍ଷ୍ମୀନାରାୟଣ ରାୟଚୌଧୁରୀ ୩ ଜଣଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ପାଇଁ ଆଦେଶ ଦେଇଛନ୍ତି। ଅର୍ଥ ଅନାଦେୟ ଅଧିକ ୨ ବର୍ଷ ଜେଲଦଣ୍ଡ ପାଇଁ କୁହାଯାଇଛି।
ସୂଚନା ମୁତାବକ, ଆଠମଲ୍ଲିକ ବ୍ଲକ କମ୍ପଲା ପଞ୍ଚାୟତ ଦୁଡ଼ୁମ ଗାଁର କୃଷ୍ଣଚନ୍ଦ୍ର ଲୋଇଙ୍କ ପୁଅ ଉଗ୍ରସେନ (୩୮)କୁ ଗ୍ରାମର କାଳନ୍ଦୀ ସେଠୀଙ୍କ ଝିଅ ଜଲି ସେଠୀ (୧୯) ବିବାହ କରିଥିଲେ। ବିବାହ ସମୟରେ ଝିଅକୁ ଯୌତୁକ ଭାବେ ୩୦ ହଜାର ଟଙ୍କା ଓ ସମସ୍ତ ଘରକରଣା ସାମଗ୍ରୀ ଦିଆଯାଇଥିଲା। ତେବେ ବିବାହର ୧୫ ଦିନ ପରେ ଉଗ୍ରସେନର ଭାଇ ବିଭୀଷଣ ଲୋଇ (୪୨) ଓ ତାଙ୍କ ସ୍ତ୍ରୀ ନୟନା ଲୋଇ (୩୨) ମିଶି ତାକୁ ସୁନାଚେନ ଆଣିବାକୁ ବାରମ୍ବାର ଚାପ ପକାଇ ନିର୍ଯାତନା ଦେଉଥିଲେ।
ଗତ ୫ ସେପ୍ଟେମ୍ବର ୨୦୧୪ ରେ ଉଗ୍ରସେନ ଶ୍ୱଶୁର କାଳନ୍ଦୀକୁ ଝିଅ ବେକରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଛି ବୋଲି ଜଣାଇ ତୁରନ୍ତ ଆସିବାକୁ କହିଥିଲା। କାଳନ୍ଦୀ ଘର ଲୋକଙ୍କୁ ନେଇ ଝିଅ ଘରକୁ ଆସି ଦେଖିବାରୁ ଜଲି ବେକରେ ଏକ ଦୌଡ଼ି ଗୁଡ଼ାଇ ହୋଇଥିଲା। ସୁନା ଚେନ ପାଇଁ ତାଙ୍କୁ ଶ୍ୱଶୁର ଘର ଲୋକ ମାରିଦେଇଥିବା ସେ ଜାଣିବାକୁ ପାଇଥିଲେ। ଏ ନେଇ ସେ ଆଠମଲ୍ଲିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ମାମଲାର ଶୁଣାଣି କରି ମଙ୍ଗଳବାର ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଲକ୍ଷ୍ମୀନାରାୟଣ ରାୟଚୌଧୁରୀ ଅଭିଯୁକ୍ତ ସ୍ୱାମୀ ଉଗ୍ରସେନ, ଦେଢଶୁର ବିଭୀଷଣ ଓ ଯାଆ ନୟନାଙ୍କୁ ଆଜୀବନ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଥିବା ବେଳେ ଅର୍ଥ ଅନାଦେୟ ଅଧିକ ୨ ବର୍ଷ ଜେଲଦଣ୍ଡ ପାଇଁ ନିଷ୍ପତ୍ତି ଶୁଣାଇଥିବା ଜଣାଯାଇଛି। ଏହି ମାମଲାଙ୍କୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୱିଟର ଅନ୍ତର୍ଯ୍ୟାମୀ ରାଉଳ ପରିଚାଳନା କରୁଥିଲେ।