ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ରାଣୀଭୂଇଁ ନିକଟରେ ଟ୍ରକ୍ ଧକ୍କାରେ ଏକାଧିକ ଗାଈ ଓ ମେଣ୍ଢାଙ୍କ ଜୀବନ ଯାଇଛି। ଟ୍ରକ୍ ଦଳି ଦେବାରୁ ରାଣୀଭୂଇଁ ଗ୍ରାମର ସୁରେଶ ସାହୁଙ୍କର ୩ଟି ଗାଈ ସହ ୧୮ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ପୋଲିସ ଓ ଲୋକେ ଟ୍ରକ୍କୁ ପିଛା କରି ଧରିଥିଲେ। ପରେ ଟ୍ରକ୍କୁ ହଣ୍ଡପା ପୋଲିସ ଜବତ କରି ଚାଳକକୁ ଅଟକ ରଖିଥିବା ଜଣାଯାଇଛି।
ସୂଚନା ମୁତାବକ, ୫୫ ନମ୍ବର ଜାତୀୟ ରାଜପଥ ପାର୍ ହେଉଥିବା ବେଳେ ଅନୁଗୁଳରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍ (ଓଡି ୨୧ ଏଫ୍ ୧୯୯୬) ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ଟି ଗାଈ ସହ ୧୮ ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ବେପରୁଆ ଗାଡ଼ି ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ବେଳେ ଜଣେ ବାଇକ୍ ଆରୋହୀ ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାପଡ଼ିଛି। ସ୍ଥାନୀୟବାସୀ ପିଛା କରି ଟ୍ରକ୍କୁ ଧରି ପୋଲିସ ଜିମା ଦେଇଛନ୍ତି।