ଅନୁଗୋଳ: ବାର୍ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ଏକ ଦନ୍ତାହାତୀର ମୃତ୍ୟୁ ହୋଇଛି। ଅନୁଗୋଳ ଜିଲ୍ଲା ହଣ୍ଡପା ବନାଞ୍ଚଳ ଅନ୍ତର୍ଗତ ଝିଲ୍ଲୀମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ସୋମବାର ରାତିରେ ଏହି ଘଟଣା ଘଟିଛି। ମୃତ ହାତୀର ବୟସ ପ୍ରାୟ ୧୦ ବର୍ଷ ହେବ ବୋଲି ବନ ବିଭାଗ ଆକଳନ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ବଇଣ୍ଡାରୁ ପାଇକସାହି ଅଞ୍ଚଳକୁ ଝିଲ୍ଲୀମୁଣ୍ଡା ଦେଇ ୧୧ କେଭି ବିଦ୍ୟୁତ୍ ତାର ଯାଇଛି। ଏହି ତାରରୁ ହୁକ୍ ଲଗାଇ ବିଦ୍ୟୁତ୍ ସଂଯୋଗ ନେଇ ବାରମ୍ବାର ବାର୍ହା ଶିକାର କରାଯାଉଥିବା ଅଭିଯୋଗ ହୋଇଛି। ସୋମବାର ଜଙ୍ଗଲରେ ଏଭଳି ଫାଶ ବିଛାଯାଇଥିବା ବେଳେ ସେହି ବାଟ ଦେଇ ଯାଉଥିବା ଦନ୍ତାହାତୀଟି ଫାଶରେ ପଡ଼ି ପ୍ରାଣ ହରାଇଥିଲା।
ଖବର ପାଇ ଆଠମଲ୍ଲିକ ଡିଏଫ୍ଓ ସନ୍ତୋଷ କପୁଲା, ହଣ୍ଡପା ରେଞ୍ଜର ମିନତି ନାୟକଙ୍କ ସମେତ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହ ଜବତ କରିଥିଲେ। ପରେ କିଶୋରନଗର, ଆଠମଲ୍ଲିକ ଓ ଠାକୁରଗଡ଼ ଅଞ୍ଚଳର ପ୍ରାଣୀ ଚିକିତ୍ସା ଅଧିକାରୀମାନେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରିଥିଲେ। ପରେ ନିକଟସ୍ଥ ସ୍ଥାନରେ ହାତୀକୁ ପୋତି ଦିଆଯାଇଥିଲା।
ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ବନ ବିଭାଗ ଗିରଫ କରିଛି। ତଦନ୍ତରେ ବାଧା ନ ଉପୁଜିବା ପାଇଁ ଗିରଫ ବ୍ୟକ୍ତିଙ୍କ ନାମ ଗୋପନ ରଖାଯାଇଛି। ହଣ୍ଡପା ରେଞ୍ଜ କାର୍ଯ୍ୟାଳୟରେ ସେମାନଙ୍କୁ ପଚରାଉଚରା କରାଯାଉଛି।