ମୁଖ୍ୟ ଖବର

ଚାଞ୍ଚଲ୍ୟ: ମାରଣାସ୍ତ୍ର ଦେଖାଇ ପର୍ଯ୍ୟଟକଙ୍କ ଠାରୁ ନେଇଗଲେ ୩୦ ହଜାର

By Biswaranjan Pattnaik

September 28, 2024

ଅନୁଗୁଳ: ମୁମ୍ବାଇରୁ ଅନୁଗୁଳ ବୁଲି ଆସିଥିବା ଜଣେ ପର୍ଯ୍ୟଟକଙ୍କ ଠାରୁ ଦୁର୍ବୃତ୍ତ ମାନେ ୩୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହେଇଛି। ଅର୍ବାଜ୍ କାୟୁମ୍ ଖାଁ ଏବଂ ତାଙ୍କର ବନ୍ଧୁ ସରୋଜ ବର୍ମା ଶୁକ୍ରବାର ରାତିରେ ମୁମ୍ବାଇରୁ ଟ୍ରେନ ଯୋଗେ ଆସି ଅନୁଗୁଳ ଷ୍ଟେସନରେ ପହଞ୍ଚି ଥିଲେ। ସେଠାରେ ଦୁଇ ଜଣ ଯୁବକ ତାଙ୍କ ସହ ମିଶି ବନ୍ଧୁତା ଜମାଇଥିଲେ ଏବଂ ଏକ ଭଲ ହୋଟେଲରେ ରଖାଇ ଦେବେ ବୋଲି କହି ଅନୁଗୁଳର ଏକ ଲଜିଂରେ ରଖାଇ ଥିଲେ।

କିଛି ସମୟ ପରେ ଅର୍ବାଜଙ୍କୁ ଉକ୍ତ ଦୁଇ ଯୁବକ ଖାଇବାକୁ ପାଖ ହୋଟେଲରୁ ପାର୍ଶଲ ଆଣିବାକୁ କହି ଡାକି ନେଇଥିଲେ। ଏହାପରେ ଆଉ ଜଣେ ଯୁବକ ତାଙ୍କ ସହ ମିଶିଥିଲା ତିନି ଯୁବକ ଅରବାଜ୍ କୁ ସହର ଉପକଣ୍ଠ ଏକ ନିଛାଟିଆ ଜାଗାକୁ ନେଇ ଛୁରୀ ଓ ଭୁଜାଲି ଦେଖାଇବା ସହ ନିସ୍ତୁକ ପିଟି ପର୍ଶରୁ ନଗଦ ପାଞ୍ଚ ହଜାର ଏବଂ ଫୋନ୍ ପେ’ରୁ ୨୫ ହଜାର ନେଇ ଯାଇଥିଲେ।

ମାଡ଼ ଖାଇ ଥିବା ଯୁବକ କୌଣସିମତେ ଉକ୍ତ ଲଜିଙ୍ଗରେ ପହଞ୍ଚି ଆଜି ସକାଳେ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ।ଜଗନ୍ନାଥ ମନ୍ଦିର ବୁଲିବାକୁ ଆସି ଏଭଳି ଲୁଟର ଶିକାର ହୋଇଥିବା ଯୁବକ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତ୍ତାରେ ଅନୁଗୁଳର ଆଇନ ଶୃଙ୍ଖଳା ଠିକ୍ ନଥିବାରୁ ଏଠାକୁ ପର୍ଯ୍ୟଟକ ଆଉ ଆସିବେ ନାହିଁ ବୋଲି କଟାକ୍ଷ କରିଥିବା ଜଣାପଡିଛି। ଇତି ମଧ୍ୟରେ ସେ ଦୁଇ ଯୁବକ ଅନୁଗୁଳ ଛାଡ଼ି ଚାଲି ଯାଇଥିବା ଜଣାପଡିଛି। ସ୍ଥାନୀୟ ପୋଲିସ ଏଥିନେଇ ତଦନ୍ତ କରିବା ଜରୁରୀ ହୋଇ ପଡ଼ିଛି।