ଘଟଣା ଓ ଦୁର୍ଘଟଣା

୩୫ ଟନ୍ ଚୋରା କୋଇଲା ଜବତ; ଦୁଇ ଯୁବକ ଗିରଫ, ଟ୍ରକ୍ ଜବତ

By Angul TV Bureau

October 21, 2025

ଅନୁଗୁଳ: ଚୋରା କୋଇଲା ଚାଲାଣ ଅଭିଯୋଗରେ ବଅଁରପାଳ ପୋଲିସ ରବିବାର ସନ୍ଧ୍ୟାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ପ୍ରାୟ ୩୫ ଟନ୍ କୋଇଲା ଏବଂ ଏଥିରେ ବ୍ୟବହୃତ ଷୋହଳ ଚକିଆ ଟ୍ରକ୍ (OD ୦୫AJ ୫୯୮୪)କୁ ଜବତ କରିଛି।

ଗିରଫ ଦୁଇ ଯୁବକ ହେଲେ ଛେଣ୍ଡିପଦା, କରଡ଼ାବାହାଳ ଗ୍ରାମର ଟ୍ରକ୍ ଡ୍ରାଇଭର ମୁରଲୀ ବାଘ ଏବଂ ତାଙ୍କ ସହଯୋଗୀ ଦେବଗଡ଼ର କୁଣ୍ଢେଇଗୋଳା ଅଞ୍ଚଳର କାଳିଆ ପ୍ରଧାନ।

ସୂଚନା ମୁତାବକ, ଏହି ଚୋରା କୋଇଲାକୁ ଅନୁଗୁଳ ବାଇପାସ ଦେଇ ନିଆଯାଉଥିବା ବେଳେ, ସନ୍ତ୍ରୀ-ତୁଳସୀପାଳ ବାଇପାସ ରାସ୍ତାରେ ପୋଲିସ ପାଟ୍ରୋଲିଂ ହାବୁଡ଼ରେ ପଡ଼ିଥିଲା।

ଗାଡ଼ିର କାଗଜପତ୍ର ଦେଖାଇ ନପାରିବାରୁ ପୋଲିସ ଟ୍ରକକୁ ଥାନାକୁ ନେଇ ଅଧିକ ତଦନ୍ତ କରିବା ପରେ ଚୋରା କୋଇଲା ଚାଲାଣ ଘଟଣା ପଦାକୁ ଆସିଥିଲା। ଜବତ ହୋଇଥିବା ଏହି ଚୋରା କୋଇଲାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ପୋଲିସ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।