ମୁଖ୍ୟ ଖବର

ପାନୀୟ ଜଳ ଯୋଗାଣ ପାଇଁ ୩୫୮ କୋଟି ବ୍ୟୟ ବରାଦ

By Biswaranjan Pattnaik

December 28, 2022

ଅନୁଗୁଳ: ଅନୁଗୁଳ ଓ ବଅଁରପାଳ ବ୍ଲକ୍ର ଲୋକମାନଙ୍କ ପାନୀୟ ଜଳ ସୁବିଧା ପାଇଁ ହେବ ଦୁଇଟି ମେଗା ପ୍ରକଳ୍ପ। ଏହି ଦୁଇ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଏହି ଦୁଇ ପ୍ରକଳ୍ପ ବେଶ୍ ସହାୟକ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛି ଅନୁଗୁଳ ବିଜେଡି। ମଙ୍ଗଳବାର ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇବା ସହ ଦୁଇ ପ୍ରକଳ୍ପ ବିଷୟରେ ତଥ୍ୟ ପ୍ରଦାନ କରାଯାଇଛି। ଦଳ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି ୨ଟି ପ୍ରକଳ୍ପ ପାଇଁ ଅନୁଗୁଳ ଓ ବଅଁରପାଳ ବ୍ଲକ୍ର ୪୭ଟି ପଞ୍ଚାୟତର ୨୭୭ଟି ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ। ଏଥିରେ ଅନୁଗୁଳ ବ୍ଲକ୍ରେ ୩୪ଟି ପଞ୍ଚାୟତର ୨୨୫ଟି ଗାଁ ଓ ବଅଁରପାଳ ବ୍ଲକ୍ର ୫୨ଟି ଗ୍ରାମ ରହିଛି। ଅନୁଗୁଳ ବ୍ଲକ୍ର ୧ ଲକ୍ଷ ୬୬ ହଜାର ଓ ବଅଁରପାଳ ବ୍ଲକ୍ର ୭୦ ହଜାର ଲୋକ ଏହି ୨ଟି ପ୍ରକଳ୍ପ ଦ୍ବାରା ଉପକୃତ ହେବେ। ଉଭୟ ପ୍ରକଳ୍ପ ପାଇଁ ସମୁଦାୟ ୩୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଗ୍ରିମେଣ୍ଟର ୨୪ ମାସ ଭିତରେ ଉଭୟ ପ୍ରକଳ୍ପ ଶେଷ କରାଯାଇ ଲୋକଙ୍କୁ ପାଣି ଯୋଗାଇ ଦିଆଯିବ। ଅନୁଗୁଳ ବ୍ଲକ୍ ପାଇଁ ଟିକରପଡ଼ା ପଞ୍ଚାୟତ ଗଇଁଦି ବେହେରାସାହି ଘାଟ ନିକଟରେ ମହାନଦୀରୁ ପାଣି ଅଣାଯିବ। କରଡ଼ାପଡ଼ା ନିକଟରେ ପାଣି ବିଶୋଧନାଗାର ପ୍ରକଳ୍ପ କରାଯିବ। ସେହିପରି ବଅଁରପାଳ ବ୍ଲକ୍ ପାଇଁ ବ୍ରାହ୍ମଣୀରୁ ପାଣି ଅଣାଯାଇ ଲୋକଙ୍କୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି, ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ, ଢ଼େଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଅନୁଗୁଳ ବିଧାୟକଙ୍କ ପ୍ରତିନିଧି ଅରୁଣାଭ ସିଂହ, ତାମଡ଼ା ଅଧ୍ୟକ୍ଷ ଅବନୀକାନ୍ତ ସାହୁ, ଅନୁଗୁଳ ନଗରପାଳ ଅକ୍ଷୟ ସାମନ୍ତ, ବଅଁରପାଳ ବ୍ଲକ୍ ଅଧ୍ୟକ୍ଷ, ଅନୁଗୁଳ ବ୍ଲକ୍ ଅଧ୍ୟକ୍ଷାଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।