ବୁଲା ଗୋରୁଙ୍କ ପାଇଁ ରାଜପଥ କଡ଼ରେ ଲାଗିବ କ୍ୟାଟେଲ ବାରିକେଡ୍, ବେଆଇନ ପାର୍କିଂ ଉପରେ କଡ଼ା ନଜର
ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ସଡ଼କ ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ଜିଲ୍ଲାପାଳ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ ଉପସ୍ଥିତ ଥିଲେ।
ପରିବହନ ବିଭାଗର ତଥ୍ୟ ଅନୁଯାୟୀ, ଗତ ଅକ୍ଟୋବର ମାସରେ ଜିଲ୍ଲାରେ ୩୭ଟି ସଡ଼କ ଦୁର୍ଘଟଣା ଘଟି ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି। ଏହି ମାସରେ ବିନା ହେଲମେଟ୍ରେ ଗାଡ଼ି ଚାଳନା ପାଇଁ ୧୨୮୫ ଜଣ, ଦ୍ରୁତଗତିରେ ଗାଡ଼ି ଚାଳନା ପାଇଁ ୮୭୬ ଜଣ, ମଦ୍ୟପାନ କରି ଗାଡ଼ି ଚାଳନା ପାଇଁ ୨୮ ଜଣ ଏବଂ ଅତ୍ୟଧିକ ମାଲ ପରିବହନ ପାଇଁ ୩୪ ଜଣଙ୍କଠାରୁ ଜୋରିମାନା ଆଦାୟ ହୋଇଛି। ସେହିପରି ୪୫୦ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି।
ବୈଠକରେ ରାଜପଥରେ ବୁଲା ଗୋରୁଙ୍କ ଯୋଗୁଁ ଦୁର୍ଘଟଣା ରୋକିବା ପାଇଁ କ୍ୟାଟେଲ ବାରିକେଡ୍ ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ରାସ୍ତା ଉପରେ ରହୁଥିବା ଭାରୀଯାନଗୁଡ଼ିକୁ ହଟାଇବା ପାଇଁ ଘରୋଇ କମ୍ପାନୀଗୁଡ଼ିକୁ ନିଜସ୍ୱ ସ୍ୱେଚ୍ଛାସେବୀ ନିୟୋଜିତ କରି ଗାଡ଼ି ଚଳାଚଳ ସ୍ୱାଭାବିକ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଏଥିସହ ଜାତୀୟ ରାଜପଥ କଡ଼ରେ ଥିବା ଢାବା ଓ ପେଟ୍ରୋଲ ପମ୍ପ ସମ୍ମୁଖରେ ବେଆଇନ ପାର୍କିଂ କଲେ ସମ୍ପୃକ୍ତ ଡ୍ରାଇଭରଙ୍କ ଲାଇସେନ୍ସ ଜବତ ସହ ଜୋରିମାନା ଆଦାୟ କରାଯିବ। ନିୟମ ଉଲ୍ଲଂଘନ କରୁଥିବା ପେଟ୍ରୋଲ ପମ୍ପ, ହୋଟେଲ ଓ ଢାବା ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଛି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ, ତାଳଚେର ଉପଜିଲ୍ଲାପାଳ ପ୍ରଜ୍ଞାନନ୍ଦନ ଗିରି, ଉପ ଆରକ୍ଷୀ ଅଧୀକ୍ଷକ ସୁକୁମାର ତ୍ରିପାଠୀ, ଅନୁଗୋଳ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରସନ୍ନ କୁମାର ଦାସ, ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ ଏବଂ ବରିଷ୍ଠ ସାମ୍ବାଦିକ ସଂଗ୍ରାମ ରଞ୍ଜନ ଦାସଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।